ମହାମାରୀ କରୋନା ଯୁଦ୍ଧର ମହିଳା ଯୋଦ୍ଧା । ଓଡ଼ିଶାରେ ମହାଲଢେଇର ନେତୃତ୍ୱ ମହିଳାଙ୍କ ହାତରେ ।

675

କନକ ବ୍ୟୁରୋ : ମହାମାରୀ କରୋନା ବିରୋଧରେ ଲଢୁଛି ସାରାବିଶ୍ୱ । ଦେଶରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରି ଏହି ମାରାତ୍ମକ ଭୂତାଣୁ ବିରୋଧରେ ଲଢେଇକୁ ଜୋରଦାର କରିଛି ଭାରତ । ଆଉ ଓଡିଶାରେ ଏହି ଲଢେଇର ନେତୃତ୍ୱ ନେଉଛନ୍ତି ମହିଳା । କରୋନା ଲଢେଇର ଏହି ମହିଳା ଯୋଦ୍ଧା ଯେଉଁମାନେ ଡାକ୍ତର କିମ୍ବା ପ୍ରଶାସକ ଭାବେ ବିଭିନ୍ନ ପଦ ପଦବୀରେ ରହି କରୋନାକୁ କାଉଣ୍ଟର କରିବା ପାଇଁ ରଣନୀତି କରୁଛନ୍ତି । ଅଥବା ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବରେ ଏହି ମହା ଲଢେଇରେ ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି ।

କୋଭିଡ-୧୯ ବା ନୋଭେଲ କରୋନା ଭାଇରସ ବିରୋଧରେ ସାରା ଓଡିଶା ଲଢେଇ କରୁଛି । ଆଉ ଗର୍ବର କଥା ହେଉଛି ଏହି ଲଢେଇରେ ରାଜ୍ୟର ନେତୃତ୍ୱ ନେଉଛନ୍ତି ମହିଳାମାନେ । ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବରିଷ୍ଠ ପ୍ରଶାସିକା ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା କରାଯାଉଥିବା ରାଜ୍ୟର ତିନିଟି ପ୍ରମୁଖ ସ୍ଥାନରେ ଅଛନ୍ତି ତିନିଜଣ ମହିଳା । ଭୁବନେଶ୍ୱରରେ ଥିବା ଆଂଚଳିକ ଭେଷଜ ଗବେଷଣା ପରିଷଦ- ଆରଏମଆରସିର ନିର୍ଦ୍ଦେଶିକା ଅଛନ୍ତି ସଂଘମିତ୍ରା ପତି । ସେହିପରି ବର୍ତମାନ ଭୁବନେଶ୍ୱର ଏମ୍ସରେ ନିର୍ଦ୍ଦେଶିକା ଅଛନ୍ତି ଜଣେ ମହିଳା ଗୀତାଞ୍ଜଳି ବତମାନବାନେ । କଟକ ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷା ଅଛନ୍ତି ବି ଡାକ୍ତର ଜୟଶ୍ରୀ ମହାନ୍ତି ।

କରୋନା ବିରୋଧରେ ମୁକାବିଲା ପାଇଁ ଓଡିଶା କୋଭିଡ-୧୯ ଟିମ୍ ବିଭିନ୍ନ ସମୟରେ ଏହି ମହିଳା ମାନଙ୍କ ମତାମତ ନେଇଥାଏ । ମହାମାରୀ କରୋନା ବିରୋଧୀ ଲଢେଇରେ ଏମାନଙ୍କ ଭୂମିକା ସେଥିପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ବରିଷ୍ଠ ପ୍ରଶାସିକା ଶାଳିନୀ ପଣ୍ଡିତ । ନ୍ୟାସନାଲ ହେଲଥ ମିଶନର ନିର୍ଦ୍ଦେଶିକା ଦାୟିତ୍ୱ ତୁଲାଉଛନ୍ତି ଏହି ଦକ୍ଷ ପ୍ରଶାସିକା । କରୋନା ନମୂନା ପରୀକ୍ଷାଠରୁ ଆରମ୍ଭ କରି ପରୀକ୍ଷଣ ପାଇଁ କୋର ଟିମର ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି । ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶିକା ଅଛନ୍ତି ବରିଷ୍ଠ ଆଇଏଏସ ଯାମିନୀ ଷଡଙ୍ଗୀ । ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଔଷଧ, ସାନିଟାଇଜର ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଦାୟିତ୍ୱ ତାଙ୍କ ହାତରେ ରହିଛି ।

ମହାମାରୀ କରୋନାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ନେଇ ଆଲର୍ଟ ଜାରି ହେବା ପରେ ମାସ୍କର ଆବଶ୍ୟକ ପଡିଲା । ଏହି ଚାହିଦା ମେଂଟାଇବା ପାଇଁ ଆଗେଇ ଆସିଲେ ରାଜ୍ୟର ଏସଏଚଜି ଗ୍ରୁପ ମହିଳା । ରାଜ୍ୟରେ ୬ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ କଟନ ମାସ୍କ ତିଆରି କରିସାରିଲେଣି । ୨୧ ଦିନିଆ ଲକଡାଉନ ଘୋଷଣା ପରେ ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇବା କାମରେ ଲାଗିଛନ୍ତି ୭ ହଜାରରୁ ଅଧିକ ଏସଏଚଜି ମହିଳା । ଏସବୁର ତଦାରଖ କରୁଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତିକେୟନ୍ ।

ଡାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କ ବାଦ ରାଜ୍ୟରେ ହଜାର ହଜାର ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ । ଏଏନଏମ, ଆଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମଧ୍ୟ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦାୟିତ୍ୱରେ ରହିଛନ୍ତି ।