କେମିତି ହେବ ସାଧାରଣ ବଜେଟ । କ’ଣ ଚାହୁଁଛନ୍ତି ଜନତା । କମିବ କି ପେଟ୍ରୋଲ ଓ ଡିଜେଲ ଦର ।

46

କନକ ବ୍ୟୁରୋ : ଆଉ ଦିନକ ପରେ ପାର୍ଲାମେଂଟରେ ଆସିବ ସାଧାରଣ ବଜେଟ । ୨୦୧୯ରେ ନିର୍ବାଚନ । ତେଣୁ ଏହି ବଜେଟ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହେବ । ଏହି ବଜେଟରୁ ଲୋକଙ୍କ ଆଶା ବେଶୀ । ସରକାରଙ୍କ ମଧ୍ୟ ଲୋକଙ୍କ ସୁହାଇଲା ଭଳି କିଛି ଘୋଷଣା କରିବାକୁ ସଙ୍କେତ ଦେଇସାରିଛନ୍ତି । ତେବେ କଣ ରହିବ ବଜେଟ ।

ଫେବୃଆରୀ ପହିଲାରେ ଆସିବ ସାଧାରଣ ବଜେଟ । ଏହି ବଜେଟ ଲୋକାଭିମୁଖୀ ବଜେଟ ହେବ ବୋଲି ପ୍ରଧାନମନ୍ତ୍ରୀ କହିସାରିଛନ୍ତି । କିନ୍ତୁ ଏହି ସମୟରେ ଆମ ସମସ୍ତଙ୍କ ବଡ ଚିନ୍ତା ହେଉଛି ପେଟ୍ରୋଲ ଓ ଡିଜେଲ ଦର । ଦୈନଦିନ ଜୀବନରେ ଖାସ ଗୁରୁତ୍ୱ ରଖୁଥିବା ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢିଚାଲିଛି । ରାଜ୍ୟରେ ପେଟ୍ରୋଲ ଦର ୭୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ଦର ଛୁଇଁଛି ପ୍ରାୟ ୬୮ଟଙ୍କା । ଏପିରିକି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ଛୁଇଁଛି । ତେଣୁ ସମସ୍ତେ ଆଶା କରୁଛନ୍ତି ବଜେଟରେ ତୈଳଦରକୁ ନିୟନ୍ତ୍ରିତ କରିବାକୁ ସରକାର କି ପଦକ୍ଷେପ ନେବେ ।

ତେବେ ଆଗାମୀ ବଜେଟରେ ଏନେଇ ରିହାତି ମିଳିବା ଆଶା ବହୁତ କମ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୩ ବର୍ଷରେ ସବୁଠାରୁ ଉଚ୍ଚସ୍ତରରେ ପହଂଚିଛି । ଆଉ ଏହାର ସିଧା ପ୍ରଭାବ ତୈଳ ଦର ଉପରେ ପଡିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଲକ୍ଷ୍ୟରେ ରଖି ପେଟ୍ରୋଲିୟମ ମନ୍ତ୍ରଣାଳୟ ବଜେଟରେ ଏକସାଇଜ ଡ୍ୟୁଟି ଅବକାରୀ ଶୁଳ୍କକୁ କମ କରିବାକୁ ପ୍ରସ୍ତାବ ଦେଇଛି । ଏହାଦ୍ୱାରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଯୁକ୍ତି ଦର୍ଶାଇଛି ମନ୍ତ୍ରଣାଳୟ । କିନ୍ତୁ ପ୍ରଶ୍ନ ଉଠୁଛି ସରକାର କଣ ଏହାକୁ ଗ୍ରହଣ କରିବେ । ଆଗାମୀ ବଜେଟରେ ସରକାର ଅବକାରୀ ଶୁଳ୍କ ବା ଏକସାଇଜ ଡ୍ୟୁଟି କମ କରିବା ସମ୍ଭାବନା ପ୍ରାୟତଃ କମ ଭଳି ଜଣାପଡୁଛି ।

ସରକାର ଗତ ବର୍ଷ ଅକ୍ଟୋବରରେ ଏହି ଶୁଳ୍କକୁ କମ କରିସାରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ଶୁଳ୍କ କମିଥିଲା । ତେଣୁ ବଜେଟରେ ଏହାକୁ ପୁଣି କମାଇବା ସରକାରଙ୍କ ପକ୍ଷରେ ହୁଏତ ମୁସ୍କିଲ ହୋଇପାରେ । କାରଣ ଶୁଳ୍କ କମାଇଲେ ରାଜକୋଷର କ୍ଷତି ବଢିବ । ଏଭଳି ସ୍ଥିତିରେ ରାଜକୋଷ କ୍ଷତିକୁ ୩.୨ ପ୍ରତିଶତ ରଖିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

ଅର୍ଥବ୍ୟବସ୍ଥାରେ ବି ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏହାଛଡା ତୈଳ କମ୍ପାନୀଗୁଡିକ ପକ୍ଷରୁ ବି ଆଶ୍ୱସ୍ତି ମିିଳିବା ସମ୍ଭାବନା କମ୍ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢିଚାଲିଛି । ତେଣୁ ତୈଳ କମ୍ପାନୀଗୁଡିକର ଖର୍ଚ ବି ଲଗାତାର ବଢୁଛି । ଏଭଳି ସ୍ଥିତିରେ ଆମ ଆଦମୀକୁ ପେଟ୍ରୋଲ ଓ ଡିଜେଲ ଦର କମ ହେବା ଯାଏଁ ଅପେକ୍ଷା କରିବାକୁ ପଡିବ ।