ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ପ୍ରାର୍ଥୀ ଚୟନରେ କଂଗ୍ରେସ କେବେ ଖୋଲିବ କାର୍ଡ

132

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଆଧାରରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୬ ତାରିଖରେ ନାମାଙ୍କର ଶେଷ ତାରିଖ ଥିବା ବେଳେ ୭ରେ ପ୍ରାର୍ଥୀପତ୍ର ଯାଂଚ କରାଯିବ । ୨୪ ତାରିଖରେ ବିଜେପୁରରେ ପଡିବ ଭୋଟ । ଏବିଂ ଫେବୃଆରୀ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।

ସେପଟେ ବିଜେପୁର ଉପନିର୍ବାଚନ ଲଢେଇରେ ସମ୍ମାନ ରକ୍ଷା ପାଇଁ ବିଜେପି ଜୋରଦାର ପ୍ରସ୍ତୁତି କରିଛି । ଗେରୁଆ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । କମିଟିର ସମ୍ପାଦକ ଜେ.ପି. ନଡ୍ଡା ଏହି ଘୋଷଣା କରିଛନ୍ତି । ଫେବୃୟାରୀ ୨ ତାରିଖରେ ମନୋନୟନ ପତ୍ର ଦାଖଲ କରିବେ ଅଶୋକ । ଆସନ୍ତା ୨୪ରେ ହେବାକୁ ଥିବା ନିର୍ବାଚନରେ ବିଜେଡିର ରୀତା ସାହୁଙ୍କ ସହ ନିର୍ବାଚନ ଲଢ଼ିବେ ଅଶୋକ । ଅକ୍ଟୋବର ମାସରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଅଶୋକ । ଅଶୋକ ଦୁଇ ହଜାରରୁ ୨୦୦୪ ପର୍ଯ୍ୟନ୍ତ ବିଜେପୁର ନିର୍ବାଚନ ମଣ୍ଡଳିରୁ ବିଧାୟକ ଥିଲେ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସହ ଲଢ଼ିବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହି । ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ । ସୁବଳ ସାହୁଙ୍କ ମୃତ୍ୟୁ ପରେ ରୀତା ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ ।

ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ସେତିକି ସକ୍ରିୟ ହୋଇ ଉଠିଛନ୍ତି। ବିଜେପୁରକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଯେମିତି ଭିତରେ ଭିତରେ ପ୍ରଚାର ଚଳାଇଛି ବିଜୁ ଜନତା ଦଳ ମଧ୍ୟ ଯୋରଦାର ରଣନୀତି ପ୍ରସ୍ତୁତ କରୁ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ନବୀନ ନିବାସରେ ଏକ ବୈଠକ ବସିଥିଲା । ବୈଠକରେ ବିଜେପୁର ପାଇଁ ପର୍ୟ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଗାମୀ ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କରିବେ।

ରୀତା ସାହୁ ଓହ୍ଲାଇବେ ବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା ପରେ ରାଜନୈତିକ ପାଣିପାଗ ଜୋରଧରିଛି । ବିଜେଡି ଏହି ନିର୍ବାଚନ ଜିତି ଓଡିଶାବାସୀ ତାଙ୍କ ସହ ଅଛନ୍ତି ବୋଲି ପ୍ରମାଣ କରିବେ । ଏଥିପାଇଁ ପୂର୍ବରୁ ନବୀନ ମାଷ୍ଟରଷ୍ଟ୍ରୋକ ଖେଳିସାରିଛନ୍ତି । ବିଜେପୁରକୁ ଏନଏସି ମାନ୍ୟତା ଠାରୁ ଜଳସେଚନ ପ୍ରକଳ୍ପ ପର୍ଯ୍ୟନ୍ତ କୁଢ କୁଢ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି ।

ବିଜେପୁର ଉପ-ନିର୍ବାଚନ ଲାଗି ବିଜେପି ବିଜେଡି ପ୍ରର୍ଥୀ ଘୋଷଣା କରିବା ସହ ପ୍ରଚାର ପାଇଁ ପ୍ରସ୍ତୁତି କଲେଣି । ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଗଲାଣି । ହେଲେ ଆଜି ଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ଯାହା ଜଣାପଡୁଛି କଂଗ୍ରେସ ପାଇଁ କାର୍ଡ ବନି ପାରନ୍ତି ପ୍ରଣୟ ସାହୁ । ତାଙ୍କ ଉପରେ ପ୍ରସାଦଙ୍କ ଆଶିର୍ବାଦ ଥିବା ଜଣାପଡୁଛି । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ନାମାଙ୍କନ ତାରିଖ ଆଗକୁ ରହିଛି । ବିଜେପୁର ପାଇଁ ପ୍ରାର୍ଥୀ ମନୋନୟନ ସଂକ୍ରାନ୍ତରେ ୬ ଜଣିଆ କମିଟି ଆଜି ବିଜେପୁର ଗସ୍ତ କରୁଛନ୍ତି । କମିଟି ସୁପାରିଶ ଆଧାରରେ ଏଆଇସିସି ଚୂଡାନ୍ତ ନିଷ୍ପତି ନେବେ ବୋଲି ପିସିସି ସଭାପତି କହିଛନ୍ତି ।