ଭାଟ ଉଚ୍ଛେଦ ଦାବିରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆମଦାନୀ ବନ୍ଦ, ଆଗକୁ ପଡିବ ମହଙ୍ଗା ମାଡ

21

ଭାଟ ଉଚ୍ଛେଦ ଦାବି ନିଷ୍ପତିରେ ଅଟଳ ରହିଛି ଓଡିଶା ବ୍ୟବସାୟୀ ମହାସଂଘ । ଫଳରେ ଡାଲି , ଚିନି, ସୁଜି, ଅଟା, ଓ ଅନ୍ୟ ଗହମଜାତ ଖାଦ୍ୟ ସାମଗ୍ରୀ ଏବଂ ଖାଇବାତେଲର ଆମଦାନୀ ବନ୍ଦ ରଖିିଛି । ଏହା ସାଧାରଣ ଖାଉଟିଙ୍କ ହାଣ୍ଡିଶାଳକୁ ପ୍ରଭାବିତ କରିବା ଆଶଙ୍କା ଉପୁଜିଛି । କାରଣ ବଜାରରେ ମହଜୁଦ ଥିବା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆସନ୍ତା ୮ରୁ ୧୦ ଦିନ ଯାଏ ରାଜ୍ୟବାସୀଙ୍କ ଚାହିଦା ମେଂଟାଇବ । ତେଣୁ ଆଗକୁ ଅଭାବ ଦେଖାଦେଲେ ଦର ବଢିବା ସହ କଳବଜାରୀର ମଧ୍ୟ ଆଶଙ୍କା ରହିଛି । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ନେଇ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତି ମୁତାବକ ଏସବୁ ଖାଦ୍ୟ ସାମଗ୍ରୀର ଆମଦାନୀ ବନ୍ଦ କରିଛି ଓଡିଶା ବ୍ୟବସାୟୀ ମହାସଂଘ । ସାରା ଭାରତରେ ମାତ୍ର ୫ଟି ରାଜ୍ୟରେ ଏସବୁ ଖାଦ୍ୟ ସାମଗ୍ରୀ ଉପରେ ମୂଲ୍ୟଯୁକ୍ତ କର ଲଗାଯାଉଛି । ତେବେ କଥା ଉଠୁଛି ଯେଉଁଠି ୨୫ଟି ରାଜ୍ୟ ନିଜସ୍ୱ ଭାଟ ଲଗାଉ ନାହାନ୍ତି ସେଠି ଓଡିଶା ଭଳି ଗରିବ ରାଜ୍ୟରେ କାହିଁକି ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଉଛନ୍ତି ସରକାର । ତେଣୁ ଉଭୟ ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କ ହିତ ଦୃଷ୍ଟିରୁ ଭାଟ ଉଚ୍ଛେଦ କରିବା ପାଇଁ ଦାବି କରୁଛି ବ୍ୟବସାୟୀ ସଂଘ ।