ପୁଣି ପାନେ ପାଇଲା ପାକିସ୍ତାନ : ଅନୁଦାନରେ ପାଉଥିବା ପାଣ୍ଠିରେ ବଡ ଧରଣର କାଂଟଛାଂଟ ପାଇଁ ଆମେରିକାର ପ୍ରସ୍ତାବ

40

କନକ ବ୍ୟୁରୋ : ପାନେ ପାଇବ ପାକିସ୍ତାନ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ହୋଇପାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ । କାରଣ ପାକିସ୍ତାନକୁ ଦେଉଥିବା ଅନୁଦାନ ରାଶିରେ ବଡ ଧରଣର କାଟଛାଂଟ ପାଇଁ ପ୍ରସ୍ତାବ ଦେଇଛି ଟ୍ରମ୍ପ ପ୍ରଶାସନ । ପୂର୍ବରୁ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତାକୁ ୧୯୦ ମିଲିଅନ୍ ଡଲାର ହ୍ରାସ ପାଇଁ ଆମେରିକା କଂଗ୍ରେସକୁ ପ୍ରସ୍ତାବ ପଠାଇ ଦିଆଯାଇଛି ।

ଗତ ବର୍ଷ ପାକିସ୍ତାନକୁ ଆମେରିକାର ଆର୍ଥିକ ଅନୁଦାନର ପରିମାଣ ଥିଲା ୫୩୪ ମିଲିଅନ୍ ଡଲାର । ଏଥି ମଧ୍ୟରୁ ସେନା ସହାୟତା ପାଇଁ ମିଳୁଥିଲା ୨୨୫ ମିଲିଅନ୍ ଡଲାର । ତେବେ ଏହି ଅନୁଦାନ ପରିମାଣ ୩୪୪ ମିଲିଅନ୍ ଡଲାରକୁ ହ୍ରାସ କରିବାକୁ ଆମେରିକା କଂଗ୍ରେସକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ସେହିପରି ସେନା ସହାୟତା ରାଶିକୁ ମଧ୍ୟ ହ୍ରାସ କରି ୧୦୦ ମିଲିଅନ୍ ଡଲାର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ଏହି ୩୪୪ ମିଲିଅନ୍ ଡଲାର ମୋଟ ଆର୍ଥିକ ସହାୟତା ମଧ୍ୟରେ ଅନ୍ତର୍ଭୁକ୍ତ ରହିବ । ଯଦି ଆମେରିକା କଂଗ୍ରେସରେ ଏହି ପ୍ରସ୍ତାବ ପାରିତ ହୁଏ ତେବେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ପାଇଁ ଏହା ବଡ ଝଟକା ହେବ ।