ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା ପରେ ଯାତ୍ରୀ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ! ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ଖସିଯିବାକୁ ବସିଛି ରେଳ ବିଭାଗ

16

କନକ ବ୍ୟୁରୋ : ଭଗବାନ ଭରସାରେ ଭାରତୀୟ ରେଳ । ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିଯିବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ଅବହେଳା ପାଇଁ ୭ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୱାଗନ କ୍ୟାରେଜର ୩ଜଣ ଓ ସେଣ୍ଟ୍ରି ଡିପାର୍ଟମେଂଟର ୨ଜଣଙ୍କ ସମେତ, ସ୍କିଡବ୍ରେକ ଲଗାଇବାକୁ ଭୁଲିଯାଇଥିବା ୨ ଲୋକମୋଟିଭ ପାଇଲଟଙ୍କୁ ସସପେଣ୍ଡ କରିଛି ରେଳବାଇ ।

ଏଥିସହ ପରୋକ୍ଷରେ ଦୁଇଜଣଙ୍କୁ ଦାୟୀ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି, କିଭଳି ଏତେବଡ ତ୍ରୁଟିହେଲା ତାର ଛାନଭିନ ଆରମ୍ଭ କରିଛନ୍ତି । ତିନିଦିନ ଭିତରେ ରିପୋର୍ଟ ଦେବାପାଇଁ କୁହାଯାଇଛି । ଆଉ ଏହାଭିତରେ ବିସ୍ମୟ ସୃଷ୍ଟି କରିଛି ରେଳମନ୍ତ୍ରାଳୟର ନୀରବତା । ରେଳବାଇର ସାଂଘାତିକ ଭୁଲ ଯୋଗୁଁ ଯେଉଁଠି ୧୪ଶହ ଯାତ୍ରୀଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିଲା ସେଠି ରେଳମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।