ସୁପ୍ରିମକୋର୍ଟରେ ସିବିଆଇ ସଂକଟ! ନୀତିଗତ ନିଷ୍ପତି ନେଇପାରିବେନି ଏମ୍ ନାଗେଶ୍ୱର ରାଓ, ୨ ସପ୍ତାହ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

49

କନକ ବ୍ୟୁରୋ : ସିବିଆଇ ସଂକଟ ଉପରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପିଟିସନର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ଉପରେ ଲଗାମ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୌଣସି ନୀତିଗତ ନିଷ୍ପତି ନେବାରେ ରୋକ ଲଗାଯାଇଛି । ସେପଟେ ଆଲୋକ ବର୍ମାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତ ହେବ । ଏହି ମାମଲା ବେଳେ ଦେଶର ଖ୍ୟାତନାମା ଆଇନଜୀବୀ ପକ୍ଷ ରଖିଥିଲେ ।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ଛୁଟିରେ ପଠାଇ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ସିବିଆଇର ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ବୁଧବାର ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ ଆଲୋକ ବର୍ମା । ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିବା ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
– ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ୨ ସପ୍ତାହରେ ଶେଷ କରି କୋର୍ଟଙ୍କୁ ରିପୋର୍ଟ ଦେବେ ସେଂଟ୍ରାଲ ଭିଜିଲାନ୍ସ କମିଶନ୍
– ଜାତୀୟ ସ୍ୱାର୍ଥ ସମ୍ବଳିତ ମାମଲା ହୋଇଥିବାରୁ ତୁରନ୍ତ ତଦନ୍ତ ଶେଷ କରି କୋର୍ଟଙ୍କୁ ଜଣାଇବାକୁ କହିଲେ ଖଣ୍ଡପୀଠ
– ଏପରିକିି ୧୦ ଦିନ ଭିତରେ ତଦନ୍ତର ପ୍ରାଥମିକ ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିବେ ସିଭିସି
– ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରିବେ ସେଂଟ୍ରାଲ ଭିଜିଲାନ୍ସ କମିଶନ୍
– ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ. ପଟ୍ଟନାୟକ ଏହି ମାମଲାର ତଦାରଖ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ

ବେଆଇନ ଭାବେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇ ଜଣେ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶକଙ୍କୁ ସିବିଆଇର ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ବେଆଇନ ବୋଲି ଦର୍ଶାଇଥିଲେ ଆଲୋକ ବର୍ମ।। ଏପରିକି ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ଅନେକ ଅଫିସରଙ୍କୁ ବଦଳି କରିଥିବା ସେ କୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ । ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ସମ୍ଭାବନା ରହିଛି ବୋଲି ଯୁକ୍ତି ବାଢିଥିଲେ ତାଙ୍କ ଓକିଲ ଫଲି ଏସ ନରିମାନ୍ ।

ସୁପ୍ରିମକୋର୍ଟରେ ଆଲୋକ ବର୍ମା ଦାଖଲ କରିଥିବାଲ ପିଟିସନରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପରେ କଡା ଆଭିମୁଖ୍ୟ ରଖିଥିଲେ କୋର୍ଟ ।
– ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ କେବଳ ପ୍ରଶାସନିକ ମୁଖ୍ୟ ଭାବେ କାମ କରିବେ
– ମାମଲାର ତଦନ୍ତ ନସରିବା ଯାଏଁ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ
– କାହାରିକୁ ନିଯୁକ୍ତି କିମ୍ବା ବଦଳି କରିପାରିବେ ନାହିଁ ନୂଆ ନିର୍ଦ୍ଦେଶକ ନାଗେଶ୍ୱର ରାଓ
– ସେହିପରି ଏପର୍ଯ୍ୟନ୍ତ କେଉଁ ଅଧିକାରୀଙ୍କୁ ବଦଳି କରିଛନ୍ତି ସେ ବାବଦରେ ଜଣାଇବେ
– ନଭେମ୍ବର ୧୨ ତାରିଖ ସୁଦ୍ଧା ଏକ ବନ୍ଦ ଲଫାପାରେ ବଦଳି ବାବଦ ତଥ୍ୟ କୋର୍ଟଙ୍କୁ ଦେବେ

ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି ଚାଲିଥିବାବେଳେ ସ୍ୱତନ୍ତ୍ର ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇଦେବା ବିରୋଧରେ ମଧ୍ୟ ଆବେଦନ କରିଥିଲେ ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀ । ହେଲେ ବିଳମ୍ବରେ କାହିଁକି ଆବେଦନ କଲେ ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ତେବେ ତାଙ୍କ ଆବେଦନର ଶୁଣାଣି ପାଇଁ ଅଲଗା ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ଭିତରେ ଲଢେଇରୁ ଆରମ୍ଭ ହୋଇଥିଲା ଏହି ପୁରା ବିବାଦ । ଦୁହେଁ ପରସ୍ପର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିବାପରେ ମଙ୍ଗଳବାର ଦୁହିଁଙ୍କୁ ଛୁଟିରେ ପଠାଇ ଦେଇ ନାଗେଶ୍ୱର ରାଓଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମା ।