ବାରମ୍ବାର ବଦଳେଇ ହେବନି ପୁରୁଣା ଟଙ୍କା ! ଟଙ୍କା ବଦଳକାରୀଙ୍କ ଅଙ୍ଗୁଳିରେ ଲାଗିବ କାଳି

47

କନକ ବ୍ୟୁରୋ : ବ୍ୟାଙ୍କରେ ବାରମ୍ବାର ଟଙ୍କା ବଦଳ କରୁଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଏଥିପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଆଙ୍ଗୁଠିରେ କାଳି ଲଗାଯିବ । ମତଦାନ ପରେ ଯେପରି କାଳି ଲଗାଯାଏ ସେହିପରି କାଳି ଲଗାଯିବ,ଏହା ସହଜରେ ଛାଡିବ ନାହିଁ । ବାରମ୍ବାର ବ୍ୟାଙ୍କକୁ ଆସି ଟଙ୍କା ବଦଳ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ । ଏହାସହ ନୂଆ ଲୋକଙ୍କୁ ଟଙ୍କା ଦେବା ପାଇଁ ପ୍ରୟାସ କରାଯାଉଛି ।

ସେପଟେ ମନ୍ଦିର ଓ ଟ୍ରଷ୍ଟ ଗୁଡିକ ଉପରେ  ସରକାରଙ୍କ ନଜର ରହିଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ । ନୂଆ ନୋଟରେ ଅଳ୍ପ ରଙ୍ଗ ଛାଡିବ ବୋଲି ମଧ୍ୟ ଅର୍ଥନୈତିକ ବ୍ୟାପାର ସଚିବ ସୂଚନା ଦେଇଛନ୍ତି । ଜନ-ଧନ ଆକାଉଂଟରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇପାରିବ ।

ଏହି ଟଂକା କେଉଁଠୁ ଆସିଲା ସେ ନେଇ ମଧ୍ୟ ଯାଂଚ କରାଯିବ । ଏହାସହ ଦେଶରେ ନଗଦ ଟଂକାର କୌଣସି ଅଭାବ ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି । ଦେଶରେ ଲୁଣର ଅଭାବ ଓ ସରକାରୀ କର୍ମଚାରୀଙ୍କ ହଡତାଳ ଖବର ପ୍ରଚାର ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଲୁଣର ଅଭାବ ନଥିବାବେଳେ ସରକାରୀ କର୍ମଚାରୀଙ୍କ ହଡତାଳ ଖବର କୌଣସି ସତ୍ୟତା ନାହିଁ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି ।