ସେବାୟତ ନୁହେଁ ହୁଣ୍ଡିରେ ପଡ଼ିବ ଦାନ ! ଶ୍ରଦ୍ଧାଳୁଙ୍କ ଠାରୁ ଦାନ ଦକ୍ଷିଣା ନେଇ ପାରିବେନି ସେବାୟତ ।

26

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରୁ ହଟିବ ଦାନ ଥାଳି । ମନ୍ଦିରରେ କେହି ସେବାୟତ, ଶ୍ରଦ୍ଧାଳୁଙ୍କୁ ଦାନ ଦକ୍ଷିଣା ମାଗିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଏଭଳି ମତ ରଖିଛନ୍ତି । ସେ କହିଛନ୍ତି, ଏନେଇ ସେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ତେବେ ସେବାୟତଙ୍କ ବଂଶାନୁକ୍ରମିକ ସେବା ଉଚ୍ଛେଦ ହେବନାହିଁ ବୋଲି ସେ ମତ ଦେଇଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ଆମିକସକ୍ୟୁରୀ, ଗଜପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପରିଚାଳନା କମିଟି ବୈଠକ ଓ ଛତିଶା ନିଯୋଗ ବୈଠକରେ ସାମିଲ ହୋଇ ସେବାୟତଙ୍କ ମତାମତ ନେଇଛନ୍ତି ।

ପୁରୀ ଗସ୍ତରେ ଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସଫା ସଫା କହିଛନ୍ତି ମନ୍ଦିରରେ ଦାନ ଦକ୍ଷିଣା ବନ୍ଦ ହେବା ଉଚିତ । ଏନେଇ ସେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ୪ ଦ୍ୱାରରେ ୪ଟି ଦାନ ହୁଣ୍ଡି ରହିବ । କେବଳ ସେଥିରେ ହିଁ ଶ୍ରଦ୍ଧାଳୁ ଦାନ ଦେଇପାରିବେ । ମନ୍ଦିର ପରିସରରେ କୌଣସି ସେବାୟତ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ମାଗିପାରିବେ ନାହିଁ ।

ଶ୍ରୀମନ୍ଦିରରେ ସୀମିତ ହେବ ସେବାୟତଙ୍କ ସଂଖ୍ୟା । ଏହା ସହ ସେବାୟତଙ୍କ ପାଇଁ ହେବ ପରିଚୟ ପତ୍ର । ଶ୍ରୀମନ୍ଦିରରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ରହିବ , ହେଲେ ମନ୍ଦିରରେ ସୀମିତ ହେବ ସେବାୟତଙ୍କ ସଂଖ୍ୟା । ଯେଉଁମାନେ ସେବାରୁ ବଂଚିତ ହେବେ ସେମାନଙ୍କ ପାଇଁ ଅନୁକମ୍ପା ରାଶିର ବ୍ୟବସ୍ଥା କରାଯିବ । ଏଥିସହ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯିବେ । ଏବଂ ମନ୍ଦିରର ଆଉ ତିନିଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଦର୍ଶନ ପାଇଁ ଧାଡି ବ୍ୟବସ୍ଥା ହେବ । ମେଘନାଦ ପାଚେରୀ ବାହାରେ ଯାତ୍ରୀଙ୍କ ବସିବା ବ୍ୟବସ୍ଥା ହେବ ।

ଆମିକସକ୍ୟୁରୀ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିବା ବେଳେ ଆଜି ଶ୍ରୀନଅର ଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ୧୨ଟି ପ୍ରସ୍ତାବ ଉପରେ ଗଜପତିଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ଏହା ପରେ ଛତିଶା ନିଯୋଗ ବୈଠକରେ ସାମିଲ ହୋଇ ସେବାୟତଙ୍କ ମତାମତ ନେଇଛନ୍ତି ଆମିକସକ୍ୟୁରୀ । ଶ୍ରୀମନ୍ଦିର ଗସ୍ତ ଓ ସମସ୍ତ ଆଲୋଚନା ନେଇ ଆମିକସକ୍ୟୁରୀ ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ଏହାପରେ ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଆସିବ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କେତେ କାର୍ଯ୍ୟକାରୀ ହେଉଛି ତାର ତଦାରଖ ପାଇଁ ପ୍ରତି ମାସରେ ସେ ପୁରୀ ଆସିବେ ବୋଲି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ କହିଛନ୍ତି ।