କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନାର ଶିଳାନ୍ୟାସ ଓ ଝାରସୁଗୁଡା ବିମାନବନ୍ଦରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଦଳୀୟ ସଭାରେ ମୋଦିଙ୍କ ଆଭିମୁଖ୍ୟ ଯେପରି ଥିଲା, ଲାଗୁଥିଲା ଓଡ଼ିଶାରେ ନିର୍ବାଚନ ପ୍ରଚାରର ଆଜି ଶୁଭ ପକାଇଛନ୍ତି ମୋଦି । ଠିକ୍ ନିର୍ବାଚନୀ ପ୍ରଚାର ଭଳି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ମୋଦି ସରକାରଙ୍କ ଦୁର୍ନୀତି ପେଡି ଖୋଲି କଡ଼ା ଜବାବ ରଖିଛନ୍ତି ନବୀନ । ସ୍କିଲ ଇଣ୍ଡିଆ ଏବଂ ଉଜ୍ୱଳା ଯୋଜନାରେ ହୋଇଥିବା ଦୁର୍ନୀତିକୁ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଯେଉଁ ଭଳି ଢ଼ଙ୍ଗରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ର୍ୀ ପରସ୍ପରକୁ ଟାର୍ଗେଟ କରିଛନ୍ତି, ଲାଗୁଛି ଯେମିତି ନିର୍ବାଚନର ବହୁ ପୂର୍ବରୁ ଏକ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି । ଠିକ୍ ନିର୍ବାଚନୀ ପ୍ରଚାର ଭଳି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିବା ବେଳେ କେନ୍ଦ୍ରୀୟ ଯୋଜନାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଆଭିମୁଖ୍ୟ ବଦଳାଇ କେନ୍ଦ୍ରର ବିଫଳତାକୁ ସାମ୍ନାକୁ ଆଣିଛନ୍ତି ନବୀନ ।
ଦୁର୍ନୀତି ପ୍ରସଙ୍ଗରେ ମୋଦି, ସିଧାସଳଖ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିବା ବେଳେ ଭ୍ରଷ୍ଟାଚାର ରାଜ୍ୟ ସରକାରଙ୍କ ପରିଚୟ ବୋଲି ଅଭିଯୋଗ କରିଛନ୍ତି । ମୋଦିଙ୍କ ଅଭିଯୋଗର ଜବାବ୍ ରଖିବାକୁ ଯାଇ ନବୀନ କେନ୍ଦ୍ର ସରକାରଙ୍କ ଦୁର୍ନୀତି ପେଡି ଖୋଲିଛନ୍ତି । ସ୍କିଲ ଇଣ୍ଡିଆ ଏବଂ ଉଜ୍ୱଳା ଯୋଜନାରେ ହୋଇଥିବା ଦୁର୍ନୀତିକୁ ଉଠାଇ ମୋଦି ସରକାରଙ୍କ ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି ନବୀନ ।
ଯେଉଁ ଯୋଜନାରେ ଓଡ଼ିଶାର ଅନେକ ଗରିବ ଲୋକ୍ ବାଦ ପଡ଼ି ଯାଉଛନ୍ତି, ସେହି ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର ବୁଝିପାରୁ ନାହାଁନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି । ଜବାବରେ ନବୀନ ପଟ୍ଟନାୟକ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପାଦେୟତା ଗଣିବାକୁ ଆହ୍ୱାନ ଦେଇଛନ୍ତି । ମହିଳାଙ୍କ ପାଇଁ ୭ଲକ୍ଷର ସ୍ୱାସ୍ଥ୍ୟ ସୁବିଧା ଏବଂ ୫୦ ଲକ୍ଷ ଅଧିକ ଲୋକ କେମିତି ଉପକୃତ ହେବେ ତା’ର ହିସାବ ରଖିଛନ୍ତି ନବୀନ । ଖାଦ୍ୟ ସୁରକ୍ଷା ଓ ଟଙ୍କିକିଆ ଚାଉଳ ଯୋଜନାରେ କେନ୍ଦ୍ର ସରକାରଙ୍କୁ ମୋଦି ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଜବାବରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ କେମିତି ଅଧିକ ୨୫ ଲକ୍ଷ ଉପକୃତ ହେଉଛନ୍ତି, ତାହା ବିଜେପି ସରକାରଙ୍କୁ ଜଣାଇଛନ୍ତି ।ତାଳଚେର ଓ ଝାରସୁଗୁଡ଼ାରେ ମୋଦି ଅଣିଥିବା ଅଭିଯୋଗର ଭୁବନେଶ୍ୱରରେ କଡ଼ା ଜବାବ୍ ରଖିଛନ୍ତି ନବୀନ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିବା କେନ୍ଦ୍ର ସରକାରକୁ ନବୀନ, ମନେ ପକାଇ ଦେଇଛନ୍ତି ରକେଟ୍ ଭଳି ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦାମ୍ ।
ତେବେ ରାଜ୍ୟସଭା ଉପାଧ୍ୟକ୍ଷ ଆଉ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଯେତେବେଳେ ବିଜେଡି ଆଉ ବିଜେପିର ଆଭିମୁଖ୍ୟ ସମାନ୍ତରାଳ ଭାବେ ଆଗକୁ ବଢୁଥିଲା ବୋଲି ଚର୍ଚ୍ଚା ହେଉଥିଲା ଠିକ ସେତିକି ବେଳେ ମୋଦି ଆଉ ନବୀନଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦର୍ଶାଉଛି, ୨୦୧୯ର ନିର୍ବାଚନ ଘମାଘୋଟ ହେବାକୁ ଯାଉଛି ।