ଶେଷ ପର୍ଯ୍ୟାୟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ : ଚକ କାମ ସରିଥିବା ବେଳେ ବାକି ରହିଛି ସଂଯୋଗ କାମ

56

କନକ ବ୍ୟୁରୋ : ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏହା ଭିତରେ ଶେଷ ପର୍ଯ୍ୟାୟରେ ପଞ୍ଚିଥିବା ବେଳେ ଆଜି ତିନି ରଥରେ ହଂସପଟା ବାଡ଼ିଆ କାମ ଶେଷ ହୋଇଛି । ଚିତ୍ରକାର ସେବକମାନେ ପଟା ଉପରେ ତିନି ରଥ ପାଇଁ ହଂସ ଆଙ୍କି ହଂସପଟା ପ୍ରସ୍ତୁତ କରିବା ପରେ ଏହାକୁ ତିନି ରଥରେ ସଂଯୋଗ କରାଯାଇଛି । ଗତକାଲି ରୁଅ ବାଡ଼ିଆ, ଦୁଆର ବାଣିଆ ବାଡ଼ିଆ, କନିଆ ପଟା, ଧୂଳିଦଣ୍ଡା କାଠ ବାଡ଼ିଆ କାମ ସରିଥିଲା । ତିନି ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ଆବଶ୍ୟକ ସିଂହାସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକ କାମ ସରିଥିବା ବେଳେ କେବଳ ଏହାକୁ ସଂଯୋଗ ବାକି ରହିଛି । ଏହା ପରେ ଚାରିପଟ ଠେକେରା ବାଡ଼ିଆ ଓ ପାର୍ଶ୍ୱ ଦେବାଦେବୀ ସଂଯୋଗ କାମ ହେବ ।

ସେପଟେ ଚିତ୍ରକାରମାନେ ରଥ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ରଙ୍ଗ ଦେବା କାର୍ଯ୍ୟକୁ ଆଗେଇ ନେଇଛନ୍ତି । ଦୋଳବେଦି କମାରଶାଳରେ କମାର ସେବକମାନେ ଲୌହ ସାମଗ୍ରୀ କାମକୁ ଆଗେଇ ନେଇଛନ୍ତି । ରଥଯାତ୍ରା ଦିନ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ରଥ ଉପରକୁ ଯିବେ। ଏହି ପହଣ୍ଡି ପାଇଁ ଚାରମାଳ କାଠ ଆବଶ୍ୟକ ପଡ଼ିଥାଏ । ଗତକାଲି କଟକ କରତକଳରୁ ଏକ ଟ୍ରକ୍‌ରେ କିଛି ଚାରମାଳ କାଠ ପହଞ୍ଚିଥିଲା । ଆଜି ଆଉ ଏକ ଟ୍ରିପ୍‌ ଚାରମାଳ କାଠ ରଥଖଳାରେ ପହଞ୍ଚିଛି । ଏହାକୁ ସିଂହଦ୍ଵାର ନିକଟରେ ରଖାଯାଇଛି ।

ସେପଟେ ଅଣସରରେ ଥିବା ମହାପ୍ରଭୁଙ୍କ ଆଜି ଏକାଦଶୀ ତିଥିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ଅଙ୍ଗର ଉପଚାର କରାଯିବ । ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଆଜି ରକ୍ତବସ୍ତ୍ର ପରିଧାନ କରିବେ । ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବ । ସେପଟେ ଅଣସର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ପ୍ରବଳ ଜନସମାଗମ । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଜ୍ୱର ଚିକିତ୍ସା ଚାଲିଥିବା ବେଳେ ଭୋର୍ ସମୟରୁ ଅଲାରନାଥଙ୍କ ପୀଠରେ ଗହଳି ଲାଗିଛି ।