ସମ୍ବଲପୁରରେ ପୋଲିସର ଦାଦାଗିରି ! ଧାରଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

38

କନକ ବ୍ୟୁରୋ : ଆମ୍ବୁଲାନ୍ସ କର୍ମଚାରୀ ଉପରକୁ ଲାଠିମାଡ । ସମ୍ବଲପୁରରେ ଧାରଣାରେ ବସିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପରକୁ ପୁଲିସ ମୃଦୁ ଲାଠି ଚାଳନା କରିଛି । ଏଥିରେ ଦୁଇ ଜଣ ୧୦୮ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଗତ କିଛି ଦିନ ଧରି ବିଭିନ୍ନ ଦାବି କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ ।

କିନ୍ତୁ ସେମାନଙ୍କ ଦାବି ପୂରଣ ନ ହେବା ଯୋଗୁଁ ଆଜି ଆରଡିସିଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଥିଲେ ୧୦୮ କର୍ମଚାରୀ । ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା କମ୍ପାନି କର୍ମଚାରୀଙ୍କୁ ମାନସିକ ଓ ଶାରୀରିକ ନିଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ମାସ ମାସ ଧରି କର୍ମଚାରୀଙ୍କ ଟଙ୍କା ବାକି ରଖୁଥିବାରୁ ଏହି କମ୍ପାନିକୁ ବଦଳାଇବା ପାଇଁ କର୍ମଚାରୀ ଦାବି କରି ଆନ୍ଦୋଳନରେ ବସିଥିଲେ । ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଏପରିକି ଏସମା ଲାଗୁ ହୋଇଥିବାରୁ ଆନ୍ଦୋଳନରେ ବସି ପାରିବେ ନାହିଁ ବୋଲି ପୋଲିସ କହିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ପୋଲିସ ଲାଠି ଚାଳନା କରିଥିଲା । ତେବେ ପୋଲିସର ଅଭିାଯାଗ ହେଲା ଆନ୍ଦୋଳନକାରୀ ପ୍ରଥମେ ପଥର ମାଡ କରିଥିଲେ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।