ଓଡିଆ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନଙ୍କ ଜାମିନ ଆବେଦନକୁ ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ

ଲିପନଙ୍କ ଜାମିନ ଆବେଦନ ଖାରଜ

172

କନକ ବ୍ୟୁରୋ : ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ମୃତ୍ୟୁ ଘଟଣାରେ ସ୍ବାମୀ ଲିପନ ସାହୁଙ୍କ ଜାମିନ ଆବେଦନ ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଖାରଜ ହୋଇଛି। ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ କୋର୍ଟରେ ଏହି ଶୁଣାଣି ହୋଇଥିଲାବେଳେ ସରକାରଙ୍କ ପକ୍ଷରୁ ଏପିପି ନନ୍ଦନନ୍ଦନ ମହାପାତ୍ର ଓ ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ଜାନୁଆରି ୪ ତାରିଖ ସନ୍ଧ୍ୟାରେ ନିକିତା ଓ ତାଙ୍କ ସ୍ବାମୀ ଲିପନ ସାହୁଙ୍କ ମଧ୍ୟରେ କଲ୍ୟାଣୀନଗର ସ୍ଥିତ ଘରେ ପାଟିତୁଣ୍ତ ହେବା ସମୟରେ ଠେଲାପେଲା ହୋଇଥିଲା।

ଏଥିରେ ନିକିତା କୌଣସି କାରଣରୁ ଛାତରୁ ଖସିପଡି ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ନିକିତାଙ୍କ ବାପା ସନାତନ ବେହେରା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ଚାଉଳିଆଗଞ୍ଜ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ନିକିତାଙ୍କର ସ୍ବାମୀ ଲିପନ ସାହୁଙ୍କୁ ଗିରଫ କରିଥିଲା। ତେବେ ନିକିତା ମୃତ୍ୟୁ ଘଟଣାରେ ଲିପନଙ୍କ ବାପା, ମା’ଙ୍କ ବିରୋଧରେ ଘରୋଇ ହି˚ସା ନେଇ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା।