ସୁପର ସଣ୍ଡେର ସୁପର ଫାଇଟ୍ । ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମୁକାବିଲା
ମ୍ୟାଚ୍ ବିଜୟ ସହ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କନକ ବ୍ୟୁରୋ: ନଭେମ୍ବର ମାସରୁ ବିଦେଶ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ସ୍ବର୍ଣ୍ଣିମ ଯାତ୍ରା ଅବ୍ୟାହତ ରହିଥିବା ବେଳେ ଆଜି ନ୍ୟୁଜିଲାଣ୍ଡ୍ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ସହ ଏହା ଶେଷ ହେବ। ଏହି ଯୁଗଳ ଗସ୍ତ (ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍)ରେ ଭାରତ ଖେଳିଥିବା ସମସ୍ତ ଟ୍ରଫିକୁ ହାତେଇ ସାରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ରେ କେବଳ ମିଳିତ ବିଜେତା ହୋଇଥିଲେ। ଆଜି ହାମିଲଟନରେ ଭାରତ ଟ୍ରଫି ଜିତିଲେ ଆଉ ଏକ ପ୍ରଥମ ସଫଳତା ସହିତ ସ୍ବଦେଶ ଫେରିବ। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ୍, ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲାଣ୍ଡ ଦିନିକିଆ ଟ୍ରଫିକୁ ପ୍ରଥମ ଥର ଲାଗି ହାତେଇ ସାରିଛି। କିନ୍ତୁ ଯେଉଁ ହାମିଲଟନରେ ଭାରତ ଖେଳିବାକୁ ଯାଉଛି ସେଠାରେ ଦିନିକିଆ ଶୃଙ୍ଖଳାର ଚତୁର୍ଥ ମ୍ୟାଚରେ ମାତ୍ର ୯୨ ରନରେ ଅଲଆଉଟ୍ ହୋଇ ବଲ୍ ବ୍ୟବଧାନରେ ସବୁଠୁ ବଡ଼ ପରାଜୟ ବରଣ କରିଥିଲା। ଏବେ ସେଠାରେ ଭାରତୀୟ ଦଳ ପ୍ରତିଶୋଧ ନେବାର ଲକ୍ଷ୍ୟରେ ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ମଧ୍ୟ ଟ୍ରଫି ଜିତିବାର ସୁଯୋଗ ରଖିଛି। ଅକଲାଣ୍ଡ୍ ଦିନିକିଆ ବିଜୟରୁ ଆତ୍ମବିଶ୍ବାସ ଅର୍ଜନ କରିଥିବା ଏହି ଦଳ କିନ୍ତୁ ସେଠାରେ ଭାରତକୁ ହଇରାଣ କରିଥିବା ଟ୍ରେଣ୍ଟ୍ ବୋଲଟଙ୍କ ସେବାରୁ ବଞ୍ଚିତ ରହିଛି। ପ୍ରଥମ ଟ୍ବେଣ୍ଟି-୨୦ରେ ବିସ୍ଫୋରକ ଅର୍ଧଶତକ ହାସଲ କରିଥିବା ଟିମ୍ ସେଫର୍ଟ ଯଦି ସ୍ଥିର ପ୍ରଦର୍ଶନ ଦେବେ ତେବେ ଆଜିର ମୁକାବିଲା ନିଶ୍ଚିତ ନ୍ୟୁଜିଲାଣ୍ଡ୍କୁ ଲଢ଼ୁଆ ରଖିପାରିବ। କିନ୍ତୁ ଆଶା ମୁତାବକ ପ୍ରଦର୍ଶନ ଦେଉନଥିବା କଲିନ୍ ମୁନରୋ ଏବଂ ଡାରିଲ୍ ମିଚେଲଙ୍କଠାରୁ ଦଳ ଭଲ ଆଶା କରିବ। ଲୋକି ଫର୍ଗୁସନଙ୍କୁ ବିଶ୍ରାମ ଦେଇ ବ୍ଲେୟାର ଟିକନରଙ୍କୁ ପଦାର୍ପଣ ସୁଯୋଗ ମିଳିବା ସମ୍ଭାବନା ରହିଛି। ସେହିଭଳି ଚଳିତ ଶୃଙ୍ଖଳାରେ ୫.୫ ଓଭର ବୋଲିଂ କରି ୬୬ ରନ୍ ବ୍ୟୟ କରି ୱିକେଟଶୂନ୍ୟ ରହିଥିବା ଆଗଧାଡ଼ିର ଦ୍ରୁତ ବୋଲର ସ୍କଟ୍ କଗଲିନଙ୍କୁ ବସାଇ ଅଲରାଉଣ୍ଡର୍ ଜିମି ନିସାମଙ୍କୁ ଖେଳାଇବା କଥା କିୱି ଦଳ ବିଚାର କରୁଛି।
ଅନ୍ୟପକ୍ଷରେ ବିଜୟ ଶଙ୍କରଙ୍କୁ ପ୍ରଥମ ଦୁଇ ଟ୍ବେଣ୍ଟି-୨୦ରେ ଖେଳାଇଥିଲେ ମଧ୍ୟ ଭାରତ ସେଭଳି ପ୍ରଭାବୀ ପ୍ରଦର୍ଶନ ପାଇନାହିଁ। କୋହଲି ନଥିବାରୁ ୪ ନମ୍ବର ସ୍ଥାନରେ ସେ ପୁଣି ସ୍ଥାନ ପାଇବାକୁ ଯାଉଛନ୍ତି। ୨୦୨୦ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦୃଷ୍ଟିରୁ ଭାରତ ମଧ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାରେ ଲାଗି ପଡ଼ିଛି। କୃନାଲ ପାଣ୍ଡ୍ୟା ୮ ନମ୍ବରରେ ବ୍ୟାଟିଂ କରିବା ଭାରତ ପାଇଁ ଭଲ ସାବ୍ୟସ୍ତ ହୋଇଛି। ତାଙ୍କ ସ୍ପିନରେ ହିଁ ଭାରତ ଗତ ମ୍ୟାଚ୍ ଜିତିଥିଲା। ଏବେ ଭାରତ କୁଲଦୀପ୍ ଯାଦବଙ୍କୁ ଆଣି ଦୁଇ ଜଣ କଚଟି ସ୍ପିନରଙ୍କୁ ନେବା କଥା ଚିନ୍ତା କରୁଛି। ଚହଲଙ୍କ ବଦଳରେ କୁଲଦୀପ୍ ଖେଳିପାରନ୍ତି।