ଜେଲ ଭିତରେ ଜୀବନ ଗଲା । ହତ୍ୟାକାରୀ କଏଦୀର କୋଦାଳ ଚୋଟରେ ଗଲା ଆଉ ଜଣେ ହତ୍ୟାକାରୀର ଜୀବନ

212

କନକ ବ୍ୟୁରୋ : ରାଜ୍ୟର ସବୁଠୁ ବଡ଼ ଜେଲ ଚୌଦ୍ୱାର ସର୍କଲ ଜେଲରେ ସଜା କାଟୁଥିବା କଏଦୀଙ୍କୁ ହତ୍ୟା । ଆଜି ସକାଳେ ଦୁଇ କଏଦୀଙ୍କ ଭିତରେ ସାମନ୍ୟ କଥାକୁ ନେଇ ବଚସା ହୋଇଥିଲା । ଆଉ ଏହି ବଚସା ପରେ ଜଣେ ଅନ୍ୟ ଜଣଙ୍କୁ କୋଦାଳରେ ହାଣି ପକାଇଥିଲା । ମୃତ କଏଦୀଙ୍କ ନାଁ ରମେଶ ପ୍ରଧାନ । ଆଜୀବନ ସଜା କାଟୁଥିବା ଜଗତସିଂପୁରର ଜଳଧର ସାମଲଙ୍କ କୋଦାଳ ଚୋଟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଚୌଦ୍ୱାର ସର୍କଲ ଜେଲ । ସକାଳ ପ୍ରାୟ ୯ଟାରେ ଚୌଦ୍ୱାର ଜେଲ ପରିସରରେ ଥିବା ବଗିଚାରେ କାମ କରିବାକୁ ପହଁଚିଥିଲେ ୪୦ରୁ ଅଧିକ କଏଦୀ । ଅଭିଯୋଗ ଅନୁସାରେ କୌଣସି କାରଣକୁ ନେଇ କଏଦୀ ରମେଶ ପ୍ରଧାନ ଓ କଏଦୀ ଜଳଧର ସାମଲଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଜଳଧର ଧରିଥିବା କୋଦାଳରେ ରମେଶଙ୍କ ବେକକୁ ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ ରମେଶଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ କଏଦୀଙ୍କ ରମେଶ ପ୍ରଧାନଙ୍କ ଘର କଟକର ତୁଳସୀପୁରରେ । ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସଜା ପାଇଥିଲେ ରମେଶ । ହତ୍ୟା ଅଭିଯୁକ୍ତ ଜଳଧର ସାମଲଙ୍କ ଘର ଜଗତସିଂହପୁରର ସଢ଼େଇକଣା ଅଂଚଳରେ । ଅନ୍ୟ ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଛନ୍ତି ଜଳଧର । ଚୌଦ୍ୱାର ଭଳି ହାଇ ସିକ୍ୟୁରିଟି ଜେଲରେ ଏଭଳି ହତ୍ୟକାଣ୍ଡକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ଏହି ହତ୍ୟାକାଣ୍ଡ ଏବେ ଜେଲର ସିକ୍ୟୁରିଟି ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।