ବିଧାନସଭା ପୂର୍ବରୁ ଜେଲ୍ ଗଲେ ବିଧାୟକ । ବିରୋଧୀ କହିଲେ, ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ନେଲେ ପଦକ୍ଷେପ ।

ଦୀର୍ଘ ଦିନ ଧରି ଏହି ଘଟଣା ଘଟିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେଇ ସରକାର କାହିଁକି ଚୁପ୍ ବସିଥିଲେ, ସମ୍ପୃକ୍ତ ଜେଇଙ୍କ ପତ୍ନୀ ଅଭିଯୋଗ ପରେ ମଧ୍ୟ ବିଧାୟକଙ୍କୁ ଗିରଫ କରାଯାଇନଥିଲା ।

321

କନକ ବ୍ୟୁରୋ: ଜେଇଙ୍କୁ ଉଠବସ୍ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ଜେଲ୍ ଯିବା ପରେ ମଧ୍ୟ ରାଜ୍ୟ ରାଜନୀତିର ପାରଦ ତଳକୁ ଖସିବାର ନାଁ ନେଉନି । ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦୀର୍ଘ ଦିନ ଧରି ଏହି ଘଟଣା ଘଟିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେଇ ସରକାର କାହିଁକି ଚୁପ୍ ବସିଥିଲେ, ସମ୍ପୃକ୍ତ ଜେଇଙ୍କ ପତ୍ନୀ ଅଭିଯୋଗ ପରେ ମଧ୍ୟ ବିଧାୟକଙ୍କୁ ଗିରଫ କରାଯାଇନଥିଲା । ହେଲେ ଠିକ୍ ବିଧାସନସଭା ଅଧିବେଶନର ଗୋଟିଏ ଦିନ ପୂର୍ବରୁ ବିଧାୟକ ଗିରଫ ହେବା ଧର୍ମକୁ ଆଖି ଠାର ମାରିବା ଭଳି । କାରଣ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ବିରୋଧୀ ଉଠାଇବେ ବୋଲି ପୂର୍ବରୁ ସତର୍କ ହୋଇ ଏଭଳି ଗିରଫ ନାଟକ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ ବିଜେପିର ଅଭିଯୋଗକୁ ବରିଷ୍ଠ ବିଜେଡି ନେତା ଅମର ଶତପଥୀ ଖଣ୍ଡନ କରିଛନ୍ତି । କହିଛନ୍ତି କି, ଆଇନ ଶାସନରେ ବିଶ୍ୱାସ କରନ୍ତି ନବୀନ ଏବଂ ବାରମ୍ବାର କହିଛନ୍ତି ଆଇନ୍ ତାବାଟରେ ଯିବ । ଆଉ ସରୋଜ ମେହେରଙ୍କ ଘଟଣାରେ ଏହା ହିଁ ହୋଇଛି । ଯିଏ ଦୋଷ କରିଛି ସେ ଦଣ୍ଡ ପାଇବ, ଘଟଣାର ତଦନ୍ତ ପ୍ରକିୟା ଚାଲିଥିବାବେଳେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ଯେଉଁମାନନେ ଏହାକୁ ରାଜନୀତି କରି ଫାଇଦା ନେବାକୁ ଚାହୁଁଛନ୍ତି ସେମାନେ ଏଥିରେ ସଫଳ ହେବେନି, କାରଣ ରାଜ୍ୟରେ ଆଇନର ଶାସନ ସଠିକ୍ ଭାବେ ଚାଲିଛି ବୋଲି ବିଜେଡିକୁ ଲୋକଙ୍କ ସମର୍ଥନ ରହିଛି ।

ଅନ୍ୟପଟେ ଏହି ଘଟଣାରେ ବିଧାୟକ ଗିରଫ ହେବା ଏବଂ ଜେଲ୍ ଯିବା ନେଇ କଂଗ୍ରେସ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛି । ବିଳମ୍ବ ହେଉ ପଛେ ରାଜ୍ୟ ସରକାର ଆଦିବାସୀ ଜନଜାତି ସମ୍ପ୍ରଦାୟ ପ୍ରତି ନ୍ୟାୟ କରିଛନ୍ତି । ଆଉ ସବୁଠାରୁ ବଡକଥା ହେଲା କି, ଆଇନରୁ ଉଦ୍ଧ୍ୱର୍ କେହି ନୁହେଁ ବୋଲି ଏହି ଘଟଣାରୁ ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଭୂଜବଳ ମାଝୀ କହିଛନ୍ତି ।

ସୂଚନା ମୁତାବକ, ଗିରଫ ପରେ ଜେଲ୍ ଯାଇଛନ୍ତି ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର । ଜେଇଙ୍କୁ ସର୍ବସମ୍ମୁଖରେ ଉଠବସ ଘଟଣାକୁ ନେଇ ବିଧାୟକଙ୍କୁ ଆଜି ଗିରଫ କରିଥିଲା ପାଟଣାଗଡ଼ ପୋଲିସ୍ । ଗିରଫ ପରେ ବିଧାୟକ ସରୋଜ ମେହରେଙ୍କୁ ଏଡିଜେ କୋର୍ଟକୁ ନିଆଯାଇଥିଲା । ସେଠାରେ ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଏଡିଜେ ଖାରଜ କରିଛନ୍ତି । ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଏଡିଜେ କୋର୍ଟ କହିଛନ୍ତି ।