ଯବାନଙ୍କୁ ସଲାମ ! ଶରୀରର ୭୦ ପ୍ରତିଶତ ଅଙ୍ଗ ନଷ୍ଟ ହେବା ପରେ ମଧ୍ୟ ହାର ନମାନି ଦେଶ ପାଇଁ ଲଢୁଛନ୍ତି ରାଜଶେଖର ।

74

କୁହାଯାଏ ଇଛାଶକ୍ତି ସାମ୍ନାରେ ମୃତ୍ୟୁ ବି ହାର ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳଛି ଡେରାଡୁନର ଇଣ୍ଡିଆନ୍ ମିଲିଟାରି ଏକାଡେମି (ଆଇଏମଏ)ରେ । ଏକଦା ଜୀବନର ଆଶା ଛାଡ଼ି ଦେଇଥିବା କ୍ୟାଡେଟ୍ ରାଜଶେଖର ଏବେ ଲେଫ୍ଟନାଣ୍ଟ ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି । କଥାଟି ଆଲୌକିକ ମନେ ହେଉଥିଲେ ବି ବାସ୍ତବ । କିଛି ଦିନ ପୂର୍ବରୁ ଏକାଧିକ ଅଙ୍ଗ କାର୍ୟ୍ୟ କରୁନଥିବା ହେତୁ ରାଜଶେଖର ଡେରାଡୁନ୍ ମିଲିଟାରି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେଠାରେ ଡ଼ାକ୍ତରମାନେ ତାଙ୍କ ବଞ୍ଚିବା ଆଶା ବି ଛାଡ଼ି ଦେଇଥିଲେ । କିନ୍ତୁ ଜଣେ ସୈନିକ ହେବାର ଇଛା ଓ ଆଗ୍ରହ ଯୋଗୁଁ ରାଜଶେଖର ହସ୍ପିଟାଲ ବିଛଣାରୁ ଯୁଦ୍ଧକ୍ଷେତ୍ରକୁ ଆସିପାରିଛନ୍ତି ।

ଜୀବନ ସଂଗ୍ରାମର କାହାଣୀ ବର୍ଣ୍ଣନା କରି ଲେଫ୍ଟନାଣ୍ଟ ରାଜଶେଖର କହନ୍ତି, ମୁଁ ଆଇଏମ ଏରେ ଭର୍ତ୍ତି ହେବାପରେ ପହଲା କଦମ୍ ବ୍ୟାୟାମ୍ ସମୟରେ ହଠାତ୍ ଚେତା ହରାଇ ପଡ଼ିଯାଇଥିଲି । କାରଣ ପିଠିରେ ଓଜନିଆ ଜିନିଷ ବୋହି ୧୦ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା । ଡ଼ାକ୍ତରମାନେ ମୋ ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ ମୋ ଶରୀରର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ୭୦ ପ୍ରତିଶତ ଖରାପ ହୋଇଯାଇଛି । ତା’ପରେ ମୋର ଚିକିତ୍ସା ଚାଲିଲା । ମୁଁ କିଛି ମାତ୍ରାରେ ସୁସ୍ଥ ହେବା ପରେ ଡ଼ାକ୍ତର ମତେ ପରାମର୍ଶ ଦେଲେ ଆଇଏମଏ ଛାଡ଼ିଦେବା ପାଇଁ । ଥରେ ଏମିତି ବି ହୋଇଥିଲା କି ଡ଼ାକ୍ତରଖାନାରେ ମୋ’ର ମୃତ୍ୟୁ ହୋଇଛି ବୋଲି ପ୍ରଚାରିତ ହୋଇଯାଇଥିଲା । ମୋ ମା’ ଏବଂ ବଡ଼ ଭାଇ ମଧ୍ୟ ତାହା ଚାହୁଁଥିଲେ ।

‘ମୁଁ କିନ୍ତୁ ଆଇଏମଏ ଛାଡ଼ିବା ସପକ୍ଷରେ ନ ଥିଲି । ସୁସ୍ଥ ହୋଇ ଟ୍ରେନିଂକୁ ଫେରିଲି । ମୋ’ର କମ୍ପାନି କମାଣ୍ଡର ଏବଂ ପ୍ଲାଟୁନ୍ କମାଣ୍ଡର ମତେ ମନୋବଳ ଦେଲେ । ମୁଁ ସଫଳତାର ସହ ଟ୍ରେନିଂ ସମାପ୍ତ କରି, ଶେଷରେ ପାସିଂ ଆଉଟ୍ ପ୍ୟାରେଡ଼ରେ ବେଷ୍ଟ ମୋଟିଭେଟର କ୍ୟାଡେଟ୍ ଭାବେ ପୁରସ୍କୃତ ହେଲି । ନିଜ ଜୀବନ ପ୍ରେରଣାଦାୟୀ କାହାଣୀ ବଖାଣି ଏକଥା କହନ୍ତି ରାଜଶେଖର । ରାଜଶେଖରଙ୍କ ଘର ତାମିଲନାଡ଼ୁର ମଦୁରାଇରେ । ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଗଲା । ମା’ ସିଲେଇ କରି ତାଙ୍କୁ ପାଠ ପଢ଼ାଇ ଥିଲେ । ସେବେ ଠାରୁ ଜୀବନ ସହ ଯୁଝିବା ଶିଖି ଥିଲେ ରାଜଶେଖର । ଏବେ ସେ ସିଆଚେନରେ ଭାରତୀୟ ସେନାର ଜଣେ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି ।