ଅଧାରୁ ଅଟକି ପାରେ ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ : ଲୋଧା କମିଟିର ନିର୍ଦେଶ ପରେ ଫ୍ରିଜ୍ ହେବ ବିସିସିଆଇର ବ୍ୟାଙ୍କ ଆକାଉଂଟ

56

କନକ ବ୍ୟୁରୋ : ବାତିଲ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ । ଭାରତ ୨-୦ରେ ଟେଷ୍ଟ ସିରିଜ୍ ଆଗୁଆ ରହିଥିଲେ ବି ବାକି ମ୍ୟାଚ୍ ନେଇ ଆଶଙ୍କା ଦେଖା ଦେଇଛି । ଖାଲି ନ୍ୟୁଜିଲାଣ୍ଡ ନୁହେଁ, ଘରୋଇ ମାଟିରେ ଇଂଲଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିରୋଧରେ ଖେଳିବାକୁ ଥିବା ସମସ୍ତ ମ୍ୟାଚ୍ ବାତିଲ ହେବାର ମଧ୍ୟ ଆଶଙ୍କା ଦେଖା ଦେଇଛି ।

ବିସିସିଆଇର ଅନୁବନ୍ଧିତ ଆସୋସିଏନର ପାଇଁ ଅତ୍ୟଧିକ ପାଣ୍ଠି ଖର୍ଚ୍ଚକୁ ନେଇ ଲୋଧା କମିଟିର ଅସନ୍ତୋଷ ଜାହିର ପରେ ଏପରି ଆଶଂକା ସୃଷ୍ଟି ହୋଇଛି । ବିସିସିଆଇର ଏପରି କାର୍ଯ୍ୟକଳାପକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଏ ସଂପର୍କରେ ଇ-ମେଲ ମାଧ୍ୟମରେ ଜଣାଇଛନ୍ତି ଲୋଧା ପ୍ୟାନେଲ ।

ସେପ୍ଟେମ୍ବର ୩୦ରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ସଭାରେ ନିଆଯାଇଥିବା ଅର୍ଥନୈତିକ ନିଷ୍ପତି ଅନୁଯାୟୀ ପାଣ୍ଠି ଖର୍ଚ୍ଚ କରିବା ଉପରେ ରୋକ୍ ଲଗାଯାଇଛି । ବିସିସିଆଇର ଆକାଉଂଟ୍ ପରିଚାଳନା କରୁଥିବା ଦୁଇଟି ବ୍ୟାଙ୍କକୁ ଏ ସଂପର୍କରେ ନିର୍ଦେଶ ଦେଇଛନ୍ତି ଲୋଧା କମିଟି।

ସୋମବାର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ବିସିସିଆଇ ଆକାଉଂଟ୍ କୁ ଫ୍ରିଜ୍ କରି ଦେଇଥିବା ବେଳେ ୟେସ୍ ବ୍ୟାଙ୍କ ଏହା ଉପରେ ବିଚାର କରୁଥିବା ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରକାଶ କରିଛି । ଫଳରେ ବିସିସିଆଇର ହାତ ବାନ୍ଧି ହେବା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଘରୋଇ ମାଟିରେ ହେବାକୁ ଥିବା ଆଗାମୀ ଅନ୍ତର୍ଜାତୀୟ ସିରିଜ୍ ଗୁଡିକୁ ବାତିଲ କରିବାକୁ ଚିନ୍ତା କରୁଛି ବିସିସିଆଇ । ତେବେ ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଆହୁରି ଗୋଟିଏ ଟେଷ୍ଟ ସହ ୫ଟି ଏକଦିବସୀୟ ମ୍ୟାଚ୍ ଖେଳିବାକୁ ବାକି ଅଛି ।