ପେଟ୍ରୋଲ ଉପରେ ଟିକସର ଆତଙ୍କବାଦ ! ସରକାର ନେଉଛନ୍ତି ଅଢେଇ ଗୁଣ ଟ୍ୟାକ୍ସ

53

କନକ ବ୍ୟୁରୋ : ପେଟ୍ରୋଲ ଦର, ୨ ଟଙ୍କା ୫୦ପଇସା କମାଇବା ପରେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ୫ ପ୍ରତିଶତ ଭାଟ୍ କମାଇବାକୁ ପରାମର୍ଶ ଦେଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୨ ଟଙ୍କା ୫୦ପଇସା ଏବଂ ଡିଜେଲ ଉପରୁ ୨ ଟଙ୍କା ୨୫ ପଇସା କମାଇବା ପରେ ଆଜି ରାଜ୍ୟ ସରକାରମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି । ସେପଟେ ଓଡ଼ିଶାର ଶାସକ ଦଳ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା କହିଛନ୍ତି- କେନ୍ଦ୍ର ସରକାର ପେଟ୍ରୋଲ ଦରକୁ ୩୦ ଟଙ୍କାକୁ ଆଣନ୍ତୁ ।

ଏବେ ଦେଖନ୍ତୁ ପେଟ୍ରୋଲ ଉପରେ ଆପଣ କେତେ ଟିକସ ଦେଉଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆପଣ କିଣୁଥିବା ପ୍ରତି ଲିଟର ପେଟ୍ରୋଲରେ କେତେ ଟଙ୍କା ନେଉଛନ୍ତି ।

ଆଜିର ଦିନରେ ଅଶୋଧିତ ପେଟ୍ରୋଲର ଅନ୍ତର୍ଜାତୀୟ ଦର ହେଉଛି ବ୍ୟାରେଲ ପିଛା ୫୦ ଆମେରିକୀୟ ଡଲାର । ଏହି ଦରରେ ଭାରତରେ ପ୍ରତି ଲିଟର ଅଶୋଧିତ ପେଟ୍ରୋଲର ଦର ହେବ ୨୦ଟଙ୍କା ୧୯ ପଇସା । ତେବେ ବିଶୋଧନ, ପ୍ରବେଶ କର ଓ ଅନ୍ୟାନ୍ୟ ଖର୍ଚ୍ଚ ପରେ ଶୁଦ୍ଧ ପେଟ୍ରୋଲର ଦର ହେବ ୨୯ ଟଙ୍କା ୫୩ ପଇସା । ଏହି ସ୍ତର ପରେ ଆରମ୍ଭ ହୋଇଯାଏ ଟିକସର ଆତଙ୍କବାଦ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ଆଖି ବୁଜା ଟିକସ ନିଅନ୍ତି । ଦେଖନ୍ତୁ ପ୍ରତି ଲିଟର ପେଟ୍ରୋଲ ପାଇଁ ଆପଣ ପକେଟରୁ କେତେ ଟଙ୍କା ଦିଅନ୍ତି ।

ଶୁଦ୍ଧ ପେଟ୍ରୋଲ ପ୍ରସ୍ତୁତ ହୋଇଯିବା ପରେ କେନ୍ଦ୍ର ସରକାର ପ୍ରତି ଲିଟର ପିଛା ୨୧ ଟଙ୍କା ୪୮ ପଇସାର ଟିକସ ପକାନ୍ତିି । ଆଉ ଏହା ପରେ ପେଟ୍ରୋଲର ଦାମ ହୋଇଯାଏ ୫୧ଟଙ୍କା । ଏହି ଟଙ୍କା ଉପରେ ଡିଲର ୩ଟଙ୍କା ୨୩ ପଇସାର ମୁନାଫା ରଖନ୍ତି । ଆଉ ତା ପରେ ବସେ ରାଜ୍ୟ ସରକାରଙ୍କ ଭାଟ୍ । ଏହି ଦର ଉପରେ ରାଜ୍ୟ ସରକାର ୨୬ ପ୍ରତିଶତ ହାରରେ ୧୪ଟଙ୍କା ୧୦ ପଇସା ଟିକସ ନିଅନ୍ତି । ଆଉ ପ୍ରତି ଲିଟର ପେଟ୍ରୋଲ ପାଇଁ ଆପଣଙ୍କୁ ଦେବାକୁ ହୁଏ ୬୮ ଟଙ୍କା ୩୪ ପଇସା ।

ନୂଆ କରି ଲାଗୁ ହୋଇଥିବା ଟିକସ ବ୍ୟବସ୍ଥା ଜିଏସଟି କିନ୍ତୁ ପେଟ୍ରୋଲ ଉପରେ ଲାଗୁ ହୋଇନାହିଁ । ତାର କାରଣ ହେଉଛି ଜିଏସଟିରେ ସର୍ବାଧିକ ଟିକସ ହାର ହେଉଛି ୨୮ ପ୍ରତିଶତ । କିନ୍ତୁ ପେଟ୍ରୋଲ ଉପରେ ସରକାର ନେଉଛନ୍ତି ୧୩୧ ପ୍ରତିଶତ ଟିକସ ।

ଏବେ ନଜର ପକାନ୍ତୁ ଆପଣ ପ୍ରତ୍ୟେକ ମାସ କେବଳ ପେଟ୍ରୋଲ ବାବଦରେ ସରକାରଙ୍କୁ କେତେ ଟଙ୍କାର ଟିକସ ଦିଅନ୍ତି ।

ଯଦି ଆପଣ ମାସକୁ ୨ ହଜାର ଟଙ୍କାର ପେଟ୍ରୋଲ କିଣନ୍ତି, ତେବେ ଆପଣ ତା ମଧ୍ୟରୁ ୧୧୩୪ ଟଙ୍କାର କେବଳ ଟିକସ ଆକାରରେ ଦେଉଛନ୍ତି । ଯଦି ଆପଣ ମାସକୁ ୫ ହଜାର ଟଙ୍କା ପେଟ୍ରୋଲ କିଣନ୍ତି, ତେବେ ଆପଣ ତା ମଧ୍ୟରୁ ୨୮୩୫ ଟଙ୍କା କେବଳ ଟିକସ ଆକାରରେ ଦେଉଛନ୍ତି । ଯଦି ଆପଣ ୧୦ ହଜାର ଟଙ୍କାର ପେଟ୍ରୋଲ କିଣନ୍ତି, ତେବେ ଆପଣ ତା ମଧ୍ୟରୁ ୫୬୭୦ ଟଙ୍କାର କେବଳ ଟିକସ ଆକାରରେ ଦେଉଛନ୍ତି ।