ରାଷ୍ଟ୍ରୀୟ ସମ୍ମାନ ସହ ସହୀଦଙ୍କୁ ଦିଆଗଲା ଶେଷ ସଲାମ ! ଲ୍ୟାଣ୍ଡମାଇନ ବିସ୍ଫୋରଣରେ କାଲି ବିଧାୟକଙ୍କ ସହ ସହୀଦ୍ ହୋଇଥିଲେ ୪ ସୁରକ୍ଷାକର୍ମୀ । 

146

କନକ ବ୍ୟୁରୋ : ନିର୍ବାଚନର ଦିନକ ପୂର୍ବରୁ ଛତିଶଗଡର ଦାନ୍ତେୱାଡାରେ ଲାଲବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସୀମାନ୍ତ ଜିଲ୍ଲାରେ ନକ୍ସଲମାନେ ପୁଣି ଥରେ ସେମାନଙ୍କର ଉପସ୍ଥିତି ଜାହିରି କରିଛନ୍ତି । ଲାଲବାହିନୀର ଏହି ବର୍ବରକାଣ୍ଡରେ ଚାଲିଯାଇଛି ୫ଜଣଙ୍କ ଜୀବନ । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଆଜି ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ୟପଟେ ବିସ୍ଫୋରଣ ସତ୍ୱେ ଏହି ଅଂଚଳରେ କାଲି ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ଛତିଶଗଡ ନିର୍ବାଚନ ଅଧିକାରୀ ।

ସହିଦ ଅମର ରହେ ନାରାରେ କମ୍ପୁଛି ସାରା ପରିବେଶ । ବୀର ପୁଅଙ୍କୁ ହରାଇ ଝୁରୁଛି ଜନ୍ମମାଟି । ଶେଷ ଦର୍ଶନ କରିବା ପାଇଁ ଜମିଛି ହଜାର ହଜାର ଲୋକଙ୍କ ଭିଡ । ସମଗ୍ର ଅଂଚଳ ହୋଇପଡିଛି ଲୋକାରଣ୍ୟ । ଆଉ ଏହାରି ଭିତରେ ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଦିଆଯାଇଛି ଶେଷ ସଲାମ । ଛତିଶଗଡ ମୁଖ୍ୟମନ୍ତ୍ରୀ ସହୀଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କାନ୍ଦବୋବାଳିରେ ଫାଟିପଡୁଛି ଦାନ୍ତେୱାଡା ବିଧାୟକ ଭୀମା ମାଣ୍ଡାବିଙ୍କ ଜନ୍ମମାଟି ଗଡପାଲ । ପ୍ରିୟ ନେତାଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଦାନ୍ତେୱାଡାବାସୀ । ଶେଷ ଦର୍ଶନ କରିବା ପାଇଁ ତାଙ୍କ ଗାଁରେ ପହଁଚିଛନ୍ତି ହଜାର ହଜାର ସମର୍ଥକ । ଏହାକୁ ସହଜରେ ବିଶ୍ୱାସ କରିପାରୁନାହଁନ୍ତି ତାଙ୍କ ପରିଜନ  । ସାନ୍ତ୍ୱନା ଦେବାକୁ ପହଁଚିଥିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ।

ସମୟ- ମଙ୍ଗଳବାର ପ୍ରାୟ ଅପରାହ୍ନ ୪ଟା । ସ୍ଥାନ – ଦାନ୍ତେୱାଡା କୁଆଁଗୁଡା ରାସ୍ତା । ପ୍ରଚାର କାର୍ଯ୍ୟ ସାରି ବଚେଲିରୁ ମାଓପ୍ରବଣ ଅଂଚଳର ଜଙ୍ଗଲିଆ ରାସ୍ତା ଦେଇ କୁଆଁଗୁଡା ଗାଁକୁ ଯାଉଥିଲେ ଦାନ୍ତେୱାଡା ବିଜେପି ବିଧାୟକ ଭୀମା ମାଣ୍ଡାବି । ତିନି ଜଣ ଅଙ୍ଗରକ୍ଷୀ ଓ ଡ୍ରାଇଭରଙ୍କ ସହ ଦୁଇଟ୍ ଗାଡିରେ ଫେରୁଥିଲେ ଭୀମା । କୁଆଁଗୁଡାଠାରୁ ମାତ୍ର ୪କିଲୋମିଟର ପୂର୍ବରୁ ଅଚାନକ ବିସ୍ଫୋରଣ ହୋଇଥିଲା ଲ୍ୟାଣ୍ଡମାଇନ୍ । ବିଧାୟକଙ୍କୁ ଟାର୍ଗେଟ କରି ଆଗରୁ ନକ୍ସଲମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନର ହୋଇଥିଲେ ଶିକାର  । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଧ୍ୱଂସ ପାଇଯାଇଥିଲା ବୁଲେଟ୍ ପ୍ରୁଫ୍ ଗାଡି ଆଉ ଚାଲିଯାଇଥିଲା ୫ ଜଣଙ୍କ ଜୀବନ । ବିସ୍ଫୋରଣ ସ୍ଥାନରେ ସୃଷ୍ଟି ହୋଇଥିଲା ବିରାଟ ଗର୍ତ । ନିର୍ବାଚନର ଦିନକ ପୂର୍ବରୁ ଏତେ ବଡ ଘଟଣା ଘଟିଥିବାରୁ ସେହି ଅଚଂଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସେପଟେ ଏହି ଘଟଣା ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।