କେନ୍ଦ୍ରାପଡାରେ ବିଜେଡି ଶିବିରକୁ ବଡ଼ ଆଶ୍ୱସ୍ତି ! ଶଶୀଙ୍କ ସମର୍ଥନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା, ସେପଟେ କିଶୋର ତରାଇଙ୍କ ମାନଭଂଜନ ।

159

କନକ ବ୍ୟୁରୋ : ସମର୍ଥନ ମିଳିଲା, ସମୀକରଣ ବଦଳିଲା । ରୋଚକ ମୋଡରେ ପହଂଚିଲା କେନ୍ଦ୍ରାପଡା ରାଜନୀତି । ଟିକେଟ ବଂଟନକୁ ନେଇ କେନ୍ଦ୍ରାପଡା ରାଜନୀତିରେ ଲାଗିରହିଥିବା ଅସନ୍ତୋଷରେ ପଡିଛି ପୂର୍ଣ୍ଣଚ୍ଛେଦ । କେନ୍ଦ୍ରାପଡାରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ସିପ୍ରା ମଲ୍ଲିକ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଏଥିସହ ବିଧାୟକ ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବେ ବୋଲି କହିଛନ୍ତି । ଗତକାଲି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ସେପଟେ କିଶୋର ତରାଇ ମଧ୍ୟ ଶଶିଭୂଷଣଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ବଦଳୁଛି କେନ୍ଦ୍ରାପଡା ସମୀକରଣ । ଶଶିଙ୍କୁ ସିପ୍ରା ଓ କିଶୋରଙ୍କ ସମର୍ଥନ । ଯେତେବେଳେ ୨୦୦୯ର ବିଧାୟିକା ସିପ୍ରା ମଲ୍ଲିକ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସେତେବେଳେ ପ୍ରଶ୍ନ ଉଠିଥିଲା ବିଜେଡି ଗଣିତ ଛିଡିବ ନା ନାହିଁ । କାହିଁକି ନା ଟିକେଟ ବଂଟନ ପ୍ରକ୍ରିୟାରେ ଟିକେଟ ନମିଳିବାକୁ ନେଇ ସିପ୍ରା ଅସନ୍ତୋଷ ରହିବା ନେଇ ଚର୍ଚ୍ଚା ଉଠିଥିଲା । ହେଲେ ବଦଳିଗଲା ସମୀକରଣ । ସିପ୍ରା ମଲ୍ଲିକ ଆଜି କହିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କ ପ୍ରତି ତାଙ୍କର ସମର୍ଥନ ରହିବ । ନବୀନଙ୍କ ନିର୍ଦ୍ଦେଶକୁ ମାନିନେବେ ବୋଲି କହିଛନ୍ତି ସିପ୍ରା ।

ଟିକେଟ ବଂଟନକୁ ନେଇ ପୂର୍ବତନ ବିଧାୟକ କିଶୋର ତରାଇ ମଧ୍ୟ ଅସନ୍ତୋଷ ରହିଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା । ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ଲାଗିଛି । ୨୦୧୪ରେ ବିଧାୟକ ବନିଥିବା କିଶୋର ତରାଇ ମଧ୍ୟ ଶଶିଭୂଷଣଙ୍କୁ ସମର୍ଥନ କରିବା ସହିତ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ମିଳିମିଶି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କିଶୋର ।

ସିପ୍ରା ଓ କିଶୋର ତରାଇଙ୍କ ସମର୍ଥନ ପାଇବା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଶଶିଭୂଷଣ ବେହେରା । ଦଳର ସମ୍ମାନ ପାଇଁ ସମସ୍ତେ ମିଳିମିଶି କାମ କରିବେ ବୋଲି କହିଛନ୍ତି ଶଶିଭୂଷଣ । ବହୁ ବିଳମ୍ବରେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶେଷ ସମୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ମିଳିଥିଲା କେନ୍ଦ୍ରାପଡା ବିଧାନସଭା ଟିକେଟ । ଏହି ଟିକେଟ ଘୋଷଣା ପରେ ତେଜିଥିଲା ଅସନ୍ତୋଷ । ସିପ୍ରା ଓ କିଶୋରଙ୍କ ଏହି ସମର୍ଥନ ରାଜନୈତିକ ଅସନ୍ତୋଷର ଅନ୍ତ ଘଟାଇଛି ।