ବାରିପଦା ପରେ ନିଆଳିରେ ହଟହଟା ହେଲେ ଦାମ । ପ୍ଲାକାର୍ଡ ଧରି ଦାମଙ୍କୁ ବିରୋଧ କଲେ ଅଙ୍ଗନୱାଡି କର୍ମୀ

38

କନକ ବ୍ୟୁରୋ : ଦାମଙ୍କ ପିଛା ଛାଡୁନି ବିବାଦ । ବାରିପଦା ପରେ ଆଜି ନିଆଳିରେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଆଜି ନିଆଳି ହାଇସ୍କୁଲ ପଡିଆରେ ଦୁର୍ନୀତି ଓ ଭଷ୍ଟ୍ରାଚାରପୂର୍ଣ୍ଣ ଶାସନ ବିରୋଧରେ ସୂଚନା ଆଇନର ଭୂମିକା ସର୍ମ୍ପକରେ ସଭା ହୋଇଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଦାମୋଦର ରାଉତ । କିନ୍ତୁ ଦାମଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରି ପାରିନଥିଲେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ।

ଦାମ ମଞ୍ଚରେ ବସିଥିବା ବେଳେ ତଳେ ଅଙ୍ଗନୱାଡି କର୍ମୀ ମାନେ ହାତରେ ପ୍ଲାକାର୍ଡ ଧରି ବିରୋଧ କରିଥିଲେ । ସଭା ଆରମ୍ଭ ହେବାର କିଛି ସମୟ ଭିତରେ ୨୦୦ରୁ ଅଧିକ ଅଙ୍ଗନୱାଡି କର୍ମୀ ‘ସ୍ୱାମୀ ଛାଡି ଅଙ୍ଗନୱାଡି’ ଲେଖାଯାଇଥିବା ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ମଂଚ ଆଗରେ ଶୋଭାଯାତ୍ରାରେ କରିଥିଲେ । ତେବେ ସଭା ଆଡକୁ ଅଙ୍ଗନୱାଡି କର୍ମୀ ବଢୁଥିବା ବେଳେ ଏମାନଙ୍କୁ ଅଟକାଇଥିଲା ପୋଲିସ ।

ଯେଉଁ ବ୍ୟକ୍ତି ମାଟି ଓ ତାଙ୍କୁ ଜନ୍ମ ଦେଇଥିବା ମାକୁ ସମ୍ମାନ ଦେଇ ଶିଖିନି ସେଭଳି ଲୋକ ଏମିତି ସଭା କରିବାର ଅର୍ଥ କଣ ବୋଲି ଅଙ୍ଗନୱାଡି କର୍ମୀ ପ୍ରଶ୍ନ ଉଠାଇଛନ୍ତି । ବିଜେଡିରେ ଥିବା ବେଳେ ଦାମ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଯାହା ସରକାରଙ୍କୁ ଅଡୁଆରେ ପକାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏଥିପାଇଁ ଦାମଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା । ଏହାଛଡା ସଭା ଚାଲୁଥିବା ବେଳେ ମଞ୍ଚ ଉପରକୁ ଅଣ୍ଡା ମାଡ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଦାମ ।