ସର୍ବୋଚ୍ଚ ଅଦାଲତରେ ଦିଲ୍ଲୀ ଅଡୁଆ ତୁଟିବା ପରେ ବି ଥମୁନି ବିବାଦ : ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଫାଇଲ୍ ଫେରାଇଲା ସେବା ବିଭାଗ, ବୈଠକ ଡାକିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଅଧିକାରକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ । କିନ୍ତୁ କୋର୍ଟଙ୍କ ରାୟ ପରେ ମଧ୍ୟ ଏବେବି ବିବାଦ ସମାଧାନ ବେହାର ନାଁ ନେଉନି । ଗତକାଲି ସଂଧ୍ୟାରେ ଦିଲ୍ଲୀ ସେବା ବିଭାଗ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଫାଇଲଙ୍କୁ ଫେରାଇଦେଇଛି । ତେବେ ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟ ବୈଠକ ଡାକିଛନ୍ତି । ବୈଠକରେ ଅଟକି ରହିଥିବା କାମ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏନେଇ ମନୀଷ ସିସୋଦିଆ ପ୍ରେସମିଟ କରି କହିଛନ୍ତି ଯଦି ଅଫିସର ସରକାରଙ୍କ କଥା ନମାନନ୍ତି ତାହେଲେ ଶାସନ କିଭଳି ଭାବେ ଚାଲିବ । ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ମିଳିମିଶି କାମ କରିବେ ବୋଲି କୋର୍ଟ କହିଛନ୍ତି । କିନ୍ତୁ ଯଦି ଅଫିସରମାନେ କଥା ନମାନନ୍ତି ତାହେଲେ ସରକାର କିଭଳି ଚାଲିବ ବୋଲି ମନୀଷ ସିସୋଦିଆ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ ଦିଲ୍ଲୀରେ ଶାସନ ଓ କ୍ଷମତାର ଲଢେଇ ଭିତରେ ଗତକାଲି ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟ ଗତକାଲି କହିଥିଲେ ନିର୍ବାଚିତ ସରକାର ଦିଲ୍ଲୀ ଚଳାଇବେ । କେନ୍ଦ୍ରଶାସିତ ଅଂଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା ଉଚିତ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ । ସେହିପରି ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକୁ ଉପରାଜ୍ୟପାଳ ଝୁଲାଇ ରଖିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।ଦିଲ୍ଲୀରେ ନିର୍ବାଚିତ ସରକାର ନା ଉପରାଜ୍ୟପାଳ, କାହା ପାଖରେ କ୍ଷମତା ରହିବ ସେ ନେଇ ଯେଉଁ ବିବାଦ ରହିଥିଲା, ତା ଉପରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ୍ କହିଥିଲେ, ଉପରାଜ୍ୟପାଳଙ୍କର ସ୍ୱତନ୍ତ୍ର ଅଧିକାର ନାହିଁ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ ।