ପୁରୀର ଜୋମାଟୋ ବୟଙ୍କ ଜାପାନ ଯାତ୍ରା: ଜାପାନ ଏସିଆନ୍ ଚାମ୍ପିୟନସିପ୍ ପାଇଁ ଭାରତୀୟ ସଫ୍ଟବଲ ଦଳରେ ହୋଇଛନ୍ତି ସାମିଲ 

91

କନକ ବ୍ୟୁରୋ: ଜମାଟୋ ବୟରୁ ଜାପାନ ଏସିଆନ ଚାମ୍ପିୟନସିପ୍ । ଭାରତୀୟ ସଫ୍ଟବଲ୍ ଦଳରେ ପୁରୀର ପୁଅ ମନୋଜ ପ୍ରଧାନ । ଭାରତୀୟ ଦଳରେ ସ୍ଥାନ ପାଇବା ପରେ ସେ ଜାପାନର ସୀମାଗୋ ସିଟି ସହରରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିୟନସିପ୍ରେ ଖେଳିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩ରୁ ୯ ତାରିଖ ପର୍ୟ୍ୟନ୍ତ ଏସିଆନ ଚାମ୍ପିୟନସିପ୍ ଅନୁଷ୍ଠିତ ହେବା ଏଥିରେ ସେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବେ। ମନୋଜ ଜିଲ୍ଲା ସ୍କୁଲ୍ରେ ସଫ୍ଟବଲ୍ ଖେଳ ହେଉଥିବା ସମୟରେ ଏହାର ଆକର୍ଷଣରେ ପଡ଼ିଥିଲେ। ସେବେଠାରୁ ସେ କେବେ ବି ଖେଳ ଛାଡ଼ି ନାହାନ୍ତି। ଗତବର୍ଷ ଡିସେମ୍ବର ମାସରେ ସେ ଅଲ୍ ଇଣ୍ଡିଆ ମିଟ୍ରେ ଖେଳିବାକୁ ଯାଇ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ତାଙ୍କୁ ମହାରାଷ୍ଟ୍ର ନାଗପୁରକୁ ଡାକରା ମିଳିଥିଲା। ସେଠାରେ ମଧ୍ୟ ସେ ତାଙ୍କର ଶ୍ରେଷ୍ଠତ୍ବ ବଜାୟ ରଖି ଭାରତୀୟ ଦଳରେ ସ୍ଥାନ ପାଇବାର ଗୌରବ ହାସଲ କରିଥିଲେ।

ଆର୍ଥିକ ଅଭାବରୁ ତାଙ୍କର ଆନ୍ତର୍ଜାତିକ ସ୍ତରରେ ଖେଳିବା ସ୍ୱପ୍ନ ଚୁରମାର ହେବାକୁ ଯାଉଥିବା ବେଳେ ସହାୟତାର ହାତ ବଢେଇଲେ ସାଥି ସଫ୍ଟବଲ୍ ଖେଳାଳି। ଆଉ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ସଫଳତା କାମନା କରି ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ନିଷ୍ଠା ଓ ସାଧନା କେବେ ବୃଥା ଯାଏନି। ଏହାକୁ ପ୍ରମାଣିତ କରିଛନ୍ତି ମନୋଜ ପ୍ରଧାନ। ଜମାଟୋ ବୟ ଭାବେ କାର୍ୟ୍ୟରତ ମନୋଜ ଭାରତୀୟ ସଫ୍ଟବଲ୍ ଟିମ୍ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ସମଗ୍ର ଓଡ଼ିଶାରେ ବରିଷ୍ଠ ବର୍ଗରେ ଭାରତୀୟ ସଫ୍ଟବଲ୍ ଟିମ୍ରେ ସାମିଲ୍ ହେବାରେ ସେ ପ୍ରଥମ ଖେଳାଳି ।ପୁରୀ ରାମଚଣ୍ଡୀ ସାହିର ମହେଶ୍ବର ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ ୨୦୦୬ ମସିହାରୁ ସଫ୍ଟବଲ୍ ଖେଳି ଆସୁଥିବା ବେଳେ ୧୬ ବର୍ଷର ପରିଶ୍ରମର ଫଳଶ୍ରୁତି ସ୍ବରୂପ ତାଙ୍କୁ ଏହି ଉପହାର ମିଳିଛି। ଗତ କାଲି ସେ ଜାପାନ ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କର ସଫଳତା କାମନା କରି ସମ୍ବର୍ଧନା ସହ ବିଦାୟ ଦିଆଯାଇଛି।