ଉଚ୍ଚ ଶିକ୍ଷା ପାଇଁ ପରିବା ବିକୁଛନ୍ତି ଯୁକ୍ତ ୨ କଳା ଟପର: ପରିବା ବିକି ପ୍ରଫେସର ହେବାକୁ ସଂଘର୍ଷ କରୁଛନ୍ତି ଛାତ୍ର

127

କନକ ବ୍ୟୁରୋ: ଉଚ୍ଚ ଶିକ୍ଷା ପାଇଁ ପରିବା ବିକୁଛନ୍ତି ଜିଲ୍ଲା ଟପର । ବାପା ଚାଷୀ, ମାଆ ପରିବା ବିକାଳି । ମାଆ ପରିବା ବିକି ଯେଉଁ ସ୍ୱଳ୍ପ ଅର୍ଥ ଦେଉଛନ୍ତି ତାହାର ମୂଲ ଶୁଝିବାକୁ ପଣ କରିଛି ପୁଅ । ଅଭାବ ଅନଟନ ଭିତରେ ବଡ ମଣିଷ ହବାର ସ୍ୱପ୍ନ ନେଇ ଜାରି ରଖିଛନ୍ତି ସଂଘର୍ଷ । ଯୁକ୍ତ ଦୁଇ କଳା ପରୀକ୍ଷାରେ ଜିଲ୍ଲା ଟପର ହେବା ପରେ ଆଗକୁ ଉଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ ମାଆଙ୍କ ସହ ମିଶି ପରିବା ବିକୁଛନ୍ତି ରାୟଗଡା ଜିଲ୍ଲାର ଯୁକ୍ତ ୨ କଳା ଟପର ଗାନ୍ଧୀ କରକରିଆ ।

କୋଲନରା ବ୍ଳକ ମଣ୍ଡଳପିତେଶୁ ଗାଁରେ ପରିବାର ସହ ରହୁନ୍ତି ଗାନ୍ଧୀ । ବାପା ଚାଷ କରୁଥିବା ବେଳେ ମାଆ ପରିବା ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରେ ପୁଅକୁ ଯୁକ୍ତ ୨ ଯାଏଁ ପଢାଇଛନ୍ତି । ମାଆଙ୍କ ପରିଶ୍ରମ ଦେଖି ପୁଅ ଅକ୍ଳାନ୍ତ ପରିଶ୍ରମ କରି ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୬୦୦ରୁ ୫୩୬ ମାର୍କ ରଖି ରାୟଗଡା ଜିଲ୍ଲାରେ ଟପର ହୋଇଛନ୍ତି । ହେଲେ ଏବେ ଆଉ ପୁଅକୁ ଆଗକୁ ପଢାଇବା ପାଇଁ ପରିବାର ପାଖରେ ସାମର୍ଥ୍ୟ ନାହିଁ । ତେଣୁ ମାଆଙ୍କ ସହ ମିଶି ପରିବା ବିକୁଛନ୍ତି ଜିଲ୍ଲା ଟପର । ପରିବା ବିକ୍ରି କରି ଅର୍ଥ ସଂଚୟ କରିବେ, ଆଉ ଆଗକୁ ପାଠ ପଢି ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଛନ୍ତି ଗାନ୍ଧି କରକରିଆ ।