ଚାଲିଗରେ ବିଶ୍ୱର ସବୁଠୁ ଅପରିଷ୍କାର ବ୍ୟକ୍ତି : ୯୪ ବର୍ଷ ବୟସରେ ଆଖି ବୁଜିଲେ ଆମୁ ହାଜି

457

କନକ ବ୍ୟୁରୋ : ସାଧାରଣତଃ ଜଣେ ମଣିଷ ୨ରୁ ୪ ଦିନ କିମ୍ବା ୧୦ରୁ ୧୫ ଦିନ ଯାଏ ନଗାଧୋଇକି ରହିପାରିବ । କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ, ଯିଏ ୧୦ କିମ୍ବା ୧୫ ଦିନ ଯାଏଁ ନୁହେଁ ବରଂ ୬୭ ବର୍ଷ ଧରି ଗାଧୋଇନଥିଲେ । ସେ ହେଉଛନ୍ତି ଇରାନର ଆମୁ ହାଜି ।

ତାଙ୍କୁ ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି ବୋଲି କୁହାଯାଏ । କାରଣ ସେ ୬୭ ବର୍ଷ ଧରି ଗାଧୋଇନଥିଲେ । ତାଙ୍କୁ ଦେଖି ଲାଗୁଥିଲା, ଯେପରି ତାଙ୍କର ଅବସ୍ଥା ଅତି ଖରାପ । କିନ୍ତୁ ତାହା ନୁହେଁ । ବାସ୍ତବରେ ଆମୁ ହାଜି ପାଣିକୁ ଡରୁଥିଲେ । ପାଣି ତାଙ୍କ ଭିତରେ ଏମିତି ଏକ ଅଜବ ଭୟ ସୃଷ୍ଟି କରିଥିଲା, ସେ ଭାବିଥିଲେ ଯଦି କେବେ ଭୁଲରେ ଗାଧୋଇ ପଡ଼ିବେ, ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯିବ । ଆଉ ଏବେ ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ଭୟ ସତ ହେବା ଭଳି ଲାଗୁଛି । ଦକ୍ଷିଣ ଫାର୍ସ ପ୍ରଦେଶର ଡେହାଗ ଗ୍ରାମରେ ତାଙ୍କର ୯୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଆଉ ତାଙ୍କର ମୃତ୍ୟୁର କାରଣ ଭୟ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, କିଛି ମାସ ତଳେ ଗ୍ରାମବାସୀ ତାଙ୍କୁ ଜୋରଜବରଦସ୍ତି ଧରିବା ସହ ଗାଧୋଇବା ପାଇଁ ବାଥରୁମକୁ ନେଇଯାଇଥିଲେ । ୬୭ ବର୍ଷରେ ପ୍ରଥମଥର ଗାଧୋଇବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଥିଲା ଏବଂ କିଛି ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମୁ ହାଜି ପଶୁ ମାଂସ ଖାଇବାକୁ ପସନ୍ଦ କରୁଥିଲେ । ଏହାବ୍ୟତୀତ ପଶୁଙ୍କ ଶୁଖିଲା ମଳକୁ ଏକ ପାଇପରେ ଭର୍ତ୍ତି କରି ସିଗାରେଟ୍ ଭଳି ଟାଣୁଥିବା ଦେଖିବାକୁ ମିଳିଛି । ୨୦୧୩ରେ ତାଙ୍କ ଉପରେ ଏକ ଡକ୍ୟୁମେଂଟ ତିଆରି କରାଯାଇଥିଲା, ଯେଉଁଥିରେ ସେ ନିଜ ଜୀବନର ସତ୍ୟତା ପ୍ରକାଶ ପାଇଥିଲା ।