ପରିଚୟ ଦେଇଛି କାଠରେ ତିଆରି କଳାକୃତି । ୨୫ ବର୍ଷ ହେଲା ଏହି କାମକୁ ଆପଣାଇଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା

167

କନକ ବ୍ୟୁରୋ : କୁହାଯାଏ, ମୂର୍ତ୍ତି ବି ଅନେକ କଥା କୁହେ । ନିର୍ଜିବ ବସ୍ତୁକୁ ସୁନ୍ଦରତାର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ସେହିଭଳି ଜଣେ କାରିଗର ହେଉଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା । ଗଣେଶ, ରାଧାକୃ୍ଷ୍ଣ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଶିବ ଠାକୁରଙ୍କ ଭଳି ଅନେକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଗଢ଼ୁଛନ୍ତି ଏହି କୁଶଳି କାରିଗର । ଏହା ସହିତ ହାତୀ, ଘୋଡା, ଗାଇ, ବାଛୁରୀ, ପୁରସ୍କାର ପାଇଁ ବ୍ୟବହାର ହେଉଥିବା ଟ୍ରଫି, ମୋବାଇଲ, ଚାବି, କଲମ ଷ୍ଟାଣ୍ଡ ଭଳି ଜିନିଷ ଗଢ଼ିବାରେ ଏମାନେ ବ୍ୟସ୍ତ ଅଛନ୍ତି । ବିକ୍ରମ ଏବଂ ତାଙ୍କ ଭାଇ ବଜରଙ୍ଗ ମହାରଣା ମିଶି ୧୯୯୮ ମସିହାରୁ ଆରମ୍ଭ କରିଛନ୍ତି ଏହି କାର୍ଯ୍ୟ । ଏବେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର କରିବାର କଳା ଶିଖାଇଛନ୍ତି । ପାଖାପାଖି ୪୦ରୁ ଅଧିକ କାରିଗରଙ୍କୁ ପ୍ରଶିକ୍ଷଣ ଦେବା ସହ ରୋଜଗାରର ରାସ୍ତା ଦେଖାଇଛନ୍ତି ।

କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ପ୍ରତିମୂର୍ତ୍ତି ଗୁଡ଼ିକ ସ୍ଥାନୀୟ ବଜାର ସହିତ ବାହାର ରାଜ୍ୟ କଲିକତା, ଦିଲ୍ଲୀ, ରାୟପୁର ଭଳି ସହରକୁ ବିକ୍ରି ପାଇଁ ପଠାଯାଉଛି । ଦେଶ ତଥା ବିଦେଶରେ ବି ଏହି ମୂର୍ତି କଳାର ପ୍ରସିଦ୍ଧି ରହିଛି । ଏହା ସହ ବିଭିନ୍ନ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶନ କରି କିଛି ରୋଜଗାର କରନ୍ତି କାରିଗର । ଏହି କଳାକୃତି ପାଇଁ ବିକ୍ରମ ମହାରଣାଙ୍କୁ ଅନେକ ମାନପତ୍ର ଏବଂ ପୁରସ୍କାର ମଧ୍ୟ ମିଳିଛି । ସେହିପରି ବାପାଙ୍କ କାମରେ ଅନୁପ୍ରାଣିତ ହୋଇ ପୁଅ ଶିବାଶିଷ ମଧ୍ୟ ପାଠ ପଢ଼ା ପରେ ଏହି କାମକୁ ଆପଣାଇଛନ୍ତି । କାଠକୁ ଖୋଦେଇ କରି ତାଙ୍କ ବାପାଙ୍କ ଭଳି ସୁନ୍ଦର ସୁନ୍ଦର ପ୍ରତିକଥା କହୁଛି କାଠର ମୂର୍ତ୍ତି ଗଢ଼ୁଛନ୍ତି । ଯାହା ବଜାରରେ ମଧ୍ୟ ବେଶ ଚାହିଦା ରହିଛି ।

ସାରା ଜୀବନ ଏହି କାମକୁ ବୃତି କରିଥିବା କାରିଗରଙ୍କୁ ଯଦି ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ କିମ୍ବା ଆଧୁନୀକ ଯନ୍ତ୍ରପାତି ମିଳେ ସେ ଆହୁରି ଲାଭବାନ ହେବେ ବୋଲି ପ୍ରକାଶ କରିଛନ୍ତି ।