ମନମୋହୁଛି ଝୋଟ ଫୁଲତୋଡ଼ା: ଘରସଜ୍ଜା ସାମଗ୍ରୀ ତିଆରି ଆତ୍ମନିର୍ଭର ହେଲେ ମହିଳା

161

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଇକ୍ତାଶକ୍ତି ବଳରେ ମଣିଷକୁ ସଫଳତା ମିଳିଥାଏ । ଦୃଢ଼ ସଂକଳ୍ପ ନେଇ କରାଯାଉଥିବା କାମ ବେଳେ ବେଳେ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଯାହା ବାଲେଶ୍ୱର ବାହାନଗା ବ୍ଲକ ଖନ୍ତାପଡ଼ା ଅଂଚଳର ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦିନେ ଘର କାମରେ ସୀମିତ ରହୁଥିବା ମହିଳା ଏବେ ନିଜେ ପରିଶ୍ରମ କରି ମାସକୁ ୩ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ନିଜର ଖର୍ଚ୍ଚ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି । ୩୦ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଇଶୋର ପ୍ରଡ୍ୟୁସର ଗ୍ରୁପ୍ର ସଦସ୍ୟା ଝୋଟରେ ବିଭିନ୍ନ ପ୍ରକାରର ଘରସଜ୍ଜା ସମଗ୍ରୀ ତିଆରି କରି ଲାଭବାନ ହେଉଛନ୍ତି । ଡାଇନିଙ୍ଗ ସେଟ୍, କଣ୍ଢେଇ, ପାପୋଛ୍, ୱାଲ ହ୍ୟାଙ୍ଗିଙ୍ଗ, ପେନ ଷ୍ଟାଣ୍ଡ, ବୁକେ, ଲାପଟପ୍ ବ୍ୟାଗ୍, ଫାଇଲ କଭର, ବ୍ୟାଗ୍, ଟୋପି, ଡଷ୍ଟବିନ୍ ଭଳି ସୁକ୍ଷ୍ମ କାରୁକାର୍ଯ୍ୟ କରୁଛନ୍ତି ମହିଳା ।

କଲିକତାରୁ କଂଚାମାଲ ଆଣି ଲୋକମାନଙ୍କର ଅର୍ଡର ମୁତାବିକ ଜିନିଷପତ୍ର ତିଆରି ଯୋଗାଇଦେଉଛନ୍ତି ମହିଳା । ଏହା ସହ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଲଗାଇ ବିକ୍ରି କରୁଛନ୍ତି । ମହିଳା ମାନେ ତିଆରି କରୁଥିବା ଏହି ସବୁ ଜିନିଷ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ବଜାରରେ ମଧ୍ୟ ବେଶ ଚାହିଦା ରହିଛି । ନୟାଗଡ଼, ଯାଜପୁର, ମୟୂରଭଂଜ, ବୌଦ୍ଧ, ସୋନପୁର, କନ୍ଧମାଳ, କଟକ, ବାଲେଶ୍ୱର ଭଳି ଅଂଚଳକୁ ଏହି ସବୁ ସାମଗ୍ରୀ ବିକ୍ରି ପାଇଁ ପଠାଯାଉଛି । ଘର କାମ ସାରି ଏହି କାମ କରିବା ପାଇଁ ମହିଳା ମାନେ ଏକାଠି ହୁଅନ୍ତି । ଇଲେକ୍ଟ୍ରିକ୍ ମେସିନ୍ ଓ ମାନୁଆଲ ମେସିନରେ ଏହାକୁ ସିଲେଇ କରନ୍ତି । କେହି କେହି ହାତରେ ମଧ୍ୟ ଏହାକୁ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ମହିଳା ମାନେ ଦିନକୁ ୬ରୁ ୭ଘଂଟା ସମୟ ଦେଉଛନ୍ତି । ଯାହା ତାଙ୍କୁ ରୋଜଗାରକ୍ଷମ କରାଇପାରିଛି ।

୨୦୧୦ରେ ୧୦ ଜଣ ମହିଳାଙ୍କୁ ନେଇ କୁମୁଦୁନି ପାକଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ମାର୍କଣ୍ଡେଶ୍ୱର ଏସଏଚଜି । ୨୦୧୯ରେ ଏହି ଗ୍ରୁପକୁ ପ୍ରଡ୍ୟୁସର ଗ୍ରୁପ୍ ମାନ୍ୟତା ଦିଆଗଲା । ଏହି ଗ୍ରୁପର୍ ଏଭଳି କାମ ପାଇଁ ତାଙ୍କୁ ଅନେକ ସମୟରେ ପ୍ରଶଂସା ଓ ସମ୍ମାନ ମଧ୍ୟ ମିଳିଛି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।