କୃଷ୍ଣପ୍ରସାଦ ଅଂଚଳରେ ମହିଳା ମାନଙ୍କ ନିଆରା ଉଦ୍ୟମ: ଛେଳି ପାଳନ କରି ହେଉଛନ୍ତି ଲାଭବାନ

153

କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ସାଜିଛି ଛେଳି ଚାଷ । ମହିଳା ମାନେ ନିଜର ଘର କାମ ସହିତ ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖିଛନ୍ତି । କୃଷ୍ଣପ୍ରସାଦ ବ୍ଲକ ମାଣିକା ପଂଚାୟତର ଓଁ ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏଭଳି ଉଦ୍ୟମ କରି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି । ଘର କାମ ସାରିବା ପରେ ଦିନକୁ ୨ଘଂଟା ଲେଖାଏଁ ସମୟ ଦେଉଛନ୍ତି । ପାଳି କରି ପ୍ରତିଦିନ ଛେଳିଙ୍କୁ ଚରାଇବାକୁ ନେଉଛନ୍ତି । ସେମାନଙ୍କୁ ଖାଇବାକୁ ଦେବାଭଳି ସମସ୍ତ ଯତ୍ନ ନେଉଛନ୍ତି ଏହି ମହିଳା ମାନେ ।

୨ ବର୍ଷ ହେଲା ଛେଳି ଚାଷ କରିବା ଆରମ୍ଭ କରିଛନ୍ତି ଏହି ଗ୍ରୁପ୍ ସଦସ୍ୟା । ଏହା ଦ୍ୱାରା ଭଲ ବ୍ୟବସାୟ ମଧ୍ୟ ହେଉଛି । ବିଭିନ୍ନ ପର୍ବପର୍ବାଣୀରେ ଛେଳି କିଣିବାକୁ ଏହି ଗାଁରେ ଲୋକଙ୍କ ଗହଳି ଜମିଥାଏ । ବାହାଘରରେ କିମ୍ବା ଭୋଜିଭାତ ପାଇଁ ଲୋକେ ଏହି ଗାଁକୁ ଆସି ମହିଳାଙ୍କ ଠାରୁ ଛେଳି କିଣିନିଅନ୍ତି । କମ୍ ଟଙ୍କା ଖର୍ଚ୍ଚ କରି ଏଥିରୁ ମହିଳା ମାନଙ୍କୁ ଅଧିକ ଲାଭ ମିଳୁଥିବା ସେମାନେ କହିଛନ୍ତି । ମାତ୍ର ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆରମ୍ଭ ହୋଇଥିବା ଏହି ଫାର୍ମ ଏବେ ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି ।

ଦିନଥିଲା ମହିଳା ମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ । କିନ୍ତୁ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସେମାନେ ଏବେ ସ୍ୱାବଲମ୍ବୀ ହେଉଛନ୍ତି । ଏବେ କେବଳ ଚୁଲି ମୁଣ୍ଡ ନୁହେଁ ଘରେ ଘରେ ପରିଚିତ ହୋଇଛନ୍ତି କୃଷ୍ଣପ୍ରସାଦ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।