ଭାରତରେ ହେବ ବି ଚୀନ୍ ଭଳି ପରିସ୍ଥିତି? ଚିନ୍ତାରେ ସରକାର ଓ ଜନତା।

275

କନକ ବ୍ୟୁରୋ: ନୂଆ ବର୍ଷ ପୂର୍ବରୁ କରୋନା ଓମିକ୍ରନର ନୂଆ ଭାରିଆଣ୍ଟ ବିଏଫ-୭ ଭାରତ ସମେତ ଆଉ ଦେଶରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭାରିଆଣ୍ଟରେ ଅଧିକ ପ୍ରଭାବିତ ହୋଇଛି ଚୀନ । ଚୀନ୍ ବ୍ୟତୀତ ଆମେରିକା ଓ ଜାପାନ ଭଳି ଦେଶରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ଏହାକୁ ଦେଖି ଭାରତରେ ମଧ୍ୟ ଆଲର୍ଟ ଜାରି ହୋଇଛି । ଭାରତରେ ଚୀନ୍ ଭଳି ପରିସ୍ଥିତି ହେବା ନେଇ ଲୋକଙ୍କ ମନରେ ଏକପ୍ରକାର ଭୟ ଦେଖାଦେଇଛି । ଆଉ ପୁଣିଥରେ ଲକଡାଉନ୍ ଓ ସଟଡାଉନ୍ ଭଳି ପରିସ୍ଥିତି ଉପୁଜିବା ନେଇ ଚିନ୍ତାପ୍ରକଟ କରିଛନ୍ତି ଲୋକେ । କିନ୍ତୁ ବିଶେଷଜ୍ଞ କହିବା ଅନୁସାରେ ଭାରତରେ କରୋନାର ସେଭଳି କୌଣସି ବିପଦର ଆଶଙ୍କା ନାହିଁ ।

ଯଦିଓ ଚୀନରେ ଏବେ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି, କିନ୍ତୁ ଭାରତରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବିଶେଷଜ୍ଞ କହିଛନ୍ତି । ଭାରତରେ ଓମିକ୍ରନର ବିଏଫ୍-୭ ଭାରିଆଣ୍ଟ ଜୁଲାଇ ମାସରୁ ଚିହ୍ନଟ ହୋଇସାରିଛି । କିନ୍ତୁ ଏହି ଭାରିଆଣ୍ଟ ଚୀନ୍ ଭଳି ଭାରତ ପାଇଁ ସେତେଟା ଘାତକ ନୁହେଁ । ଗତ ସପ୍ତାହରୁ ଭାରତରେ କରୋନାର ନୂଆ ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଆଶ୍ୱସ୍ତିକର କଥା ହେଉଛି, ଭାରତରେ ନୂଆ ଭାରିଆଂଟ ବିଏଫ-୭ ଏପର୍ଯ୍ୟନ୍ତ ସେତେଟା ଘାତକ ସାବ୍ୟସ୍ତ ହୋଇନାହିଁ । କିନ୍ତୁ କରୋନା ଯେ ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି, ତାହା ଭାବିବା ଭୁଲ ବୋଲି ବିଶେଷଜ୍ଞ କହିଛନ୍ତି । ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ବି ସରକାର ଟେଷ୍ଟିଂ, ସର୍ଭିଲାନ୍ସକୁ ବଢ଼ାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେତେ ଅଲଗା ଚୀନ ଓ ଭାରତ ଭାରିଆଂଟ?
– ଭାରତରେ ବିଏଫ୍.୭ ନୁହେଁ, ଏକ୍ସବିବି ଭାରିଆଂଟ ଚିନ୍ତାର ବିଷୟ
– ବିଜେ.୧ ଓ ବିଏ.୨.୭୫ ମିଶ୍ରଣ ହେଉଛି ଏକ୍ସବିବି ଭାରିଆଂଟ
– ଏହି ଭାରିଆଂଟରେ ପ୍ରଭାବ ପକାଇବା ନାହିଁ କରୋନା ଭ୍ୟାକସିନ୍
– ଚୀନରେ ଅନ୍ୟ ଭାରିଆଂଟକୁ ଜନ୍ମ ଦେଇପାରେ ଏକ୍ସବିବି ଭାରିଆଂଟ
– ପ୍ରଭାବରେ ଦେଖା ଦେଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଏତେ ଆସନ୍ତୁ ନଜର ପକାଇବା କେତେ ଘାତକ ବିଏଫ୍.୭?
– କରୋନା ସ୍ପାଇକ୍ ପ୍ରୋଟିନ୍ରେ ଏକ ସ୍ୱତନ୍ତ୍ର ମ୍ୟୁଟେସନ ଦ୍ୱାରା ଓମିକ୍ରନ୍ର ସଂକ୍ରାମକ ସବ୍ଭାରିଆଂଟ ବିଏଫ୍.୭
– ଏହି ମ୍ୟୁଟେସନ୍ ଦ୍ୱାରା ବିଏଫ୍.୭ ଉପରେ ଆଂଟିବଡିର ପ୍ରଭାବ ପଡୁନାହିଁ
– ଟିକାର ସମସ୍ତ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇପାରିବେ
– ବିଏଫ୍-୭ରେ ଆକ୍ରାନ୍ତ ବ୍ୟକ୍ତି କମ୍ ସମୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ
– ବିଏଫ୍-୭ର ଆର ଭ୍ୟାଲୁ ୧୦ରୁ ୧୮.୬ ଅର୍ଥାତ୍ ଜଣେ ବ୍ୟକ୍ତି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ
– ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା କିମ୍ବା ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଶୀଘ୍ର ଆକ୍ରାନ୍ତ ହେବା ଆଶଙ୍କା
– ଜ୍ୱର, କାଶ, ଗଳା ଦରଜ ଓ ନାକରୁ ପାଣି ଗଳିବା ଭଳି ଲକ୍ଷଣ ଦେଖିବାକୁ ମିଳିବ

ମାର୍ଚ୍ଚ, ୨୦୨୦ରୁ ଏପର୍ଯ୍ୟନ୍ତ ଭାରତରେ ୪କୋଟି ୪୦ ଲକ୍ଷ କୋଟିର ନୂଆ ମାମଲା ଚିହ୍ନଟ ହୋଇସାରିଛି । ବର୍ତମାନ ଭାରତରେ ପାଖାପାଖି ୩ହଜାର ୫୦୦ ଆକ୍ଟିଭ୍ ମାମଲା ରହିଛି । ଗତ କିଛି ଦିନ ସଂକ୍ରମଣ ମାମଲା ମଧ୍ୟ ଲଗାତାର ହ୍ରାସ ପାଉଛି । ତା’ଛଡ଼ା କରୋନା ଟିକାକରଣ ମାମଲାରେ ଭାରତ ବହୁ ଆଗରେ ରହିଛି । ସବୁଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଥିଲେ ବି ସତର୍କ ରହିବାକୁ କୁହାଯାଇଛି ।