ମନେ ରହିବ ରାଇମୋହନଙ୍କ ଲୋକପ୍ରିୟ ଡାଏଲଗ୍: ଘରେ ଘରେ ପରିଚିତ କରିଥିଲା ତାଙ୍କର ନିଖୁଣ ଅଭିନୟ

129

କନକ ବ୍ୟୁରୋ: ରାଇମୋହନ ପରିଡାଙ୍କ ଜନ୍ମ ୧୯୬୩ ମସିହା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉଦୟପୁର ଗାଁରେ । କରଂଜିଆ କଲେଜ୍ରେ ସ୍ନାତକ ପାଠପଢା ଶେଷ କରିବା ପରେ ଅଭିନୟରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ୱର ଚାଲିଆସିଥିଲେ ରାଇମୋହନ । ଏଠାରେ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ଏବଂ ନାଟକ ବିଭାଗର ଛାତ୍ର ଥିଲେ ।

ଅଭିନୟର ତାଲିମ ନେବା ପରେ ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ ରାଇମୋହନ । ୧୯୮୫ରେ ପ୍ରଥମଥର ଓଡ଼ିଆ ଫିଲ୍ମରେ ସୁଯୋଗ ପାଇଥିଲେ । ୧୯୮୭ରେ ‘ସାଗର’ ଚଳଚ୍ଚିତ୍ରରେ ପ୍ରଥମଥର ଖଳନାୟକ ଭୂମିକାରେ ଆସିଥିଲେ ନଜର । ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦାଦାଗିରି’ ଓ ଡି. ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘କୋଟିଏ ମଣିଷ ଗୋଟିଏ ଜଗା’ରେ ଖଳନାୟକ ଭାବେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ରାଇମୋହନ । ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ । ଏହାପରେ ତାଙ୍କୁ ଅନେକ ସିନେମାରେ ଦେଖିବାକୁ ମିଳିଛି । ବନ୍ଧନ, ରଣଭୂମି, ସିଂହବାହିନୀ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଜା ରେ ମେଘ ମୋତେ, ଛାତି ଚିରିଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା’ ଶକ୍ତି ଦେ’, ରକତେ ଲେଖିଛି ନାଁ, ମୋ ମନ ଖାଲି ତୁମରି ପାଇଁ, ଉଦଣ୍ଡି ସୀତା ଆଦି ଫିଲ୍ମରେ ସେ ବେଶ ନିଖୁଣ ଅଭିନୟ କରିଥିଲେ । ଏବେ ବି ତାଙ୍କର କେତୋଟି ଚଳଚ୍ଚିତ୍ର ମୁକ୍ତି ଅପେକ୍ଷାରେ ରହିଛି ।

କନକ ନ୍ୟୁଜ ୱାନ-ଟୁ-ୱାନ୍ କାର୍ଯ୍ୟକ୍ରମରେ ନିଜ ଲୋକପ୍ରିୟ ଡାଏଲଗ ବିଷୟରେ ବଖାଇଣିଥିଲେ ଅଭିନେତା ରାଇମୋହନ । ଚଳଚ୍ଚିତ୍ର ରଣଭୂମୀରେ ନିଜ ସ୍ୱତନ୍ତ୍ର ଅଭିନୟ ପାଇଁ ଓଡିଆ ସିନେପ୍ରେମୀଙ୍କ ଗହଣରେ ସେ ହୋଇଥିଲେ ଲୋକପ୍ରିୟ ।

ଓଲିଉଡ୍ ସିନେମାରେ ଖଳନାୟକ ଭୂମିକା ପାଇଁ ବେଶୀ ଲୋକପ୍ରିୟତା ହାସଲ କରିଥିଲେ ରାଇମୋହନ । ନିଜ ବଡ ବଡ ଲାଲ ଆଖି ବଡ ମୁହଁ ଓ ଗୁରୁ ଗମ୍ଭୀର ସ୍ୱର ପାଇଁ ଖଳନାୟକ ଭାବେ ପ୍ରତ୍ୟେକ ଚରିତ୍ରକୁ ପରଦାରେ ଜୀବନ୍ତ କରିପାରିଥିଲେ ସେ ।

ପରଦାରେ ଯେତିକି ନିଷ୍ଠୁର ଓ ଭୟଙ୍କର ଅଭିନୟ ଦେଖାଉଥିଲେ ରାଇମୋହନ, ଖଳନାୟକ ଭାବେ ସେତିକି ବଢୁଥିଲା ତାଙ୍କ ଲୋକପ୍ରିୟତା । ତାଙ୍କ ଜୀବନ୍ତ ଅଭିନୟ ପାଇଁ ଦର୍ଶକ ତାଙ୍କ ଚରିତ୍ରକୁ ଘୃଣା କରିବାକୁ ବାଧ୍ୟ ହେଉଥିଲେ ।

୧୯୮୫ ମସିହାରେ ଓଡିଆ ସିନେମାରେ ପାଦ ଥାପିଥିଲେ ରାଇମୋହନ । ଯେଉଁ ସମୟରେ ଦୁଃଖିରାମ ସ୍ୱାଇଁ, ହର ପଟ୍ଟନାୟକଙ୍କ ଭଳି ଦକ୍ଷ ଖଳନାୟକ ଓଡିଆ ଇଣ୍ଡଷ୍ଟ୍ରୀରେ ରାଜ୍ କରୁଥିଲେ, ସେହି ସମୟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ରାଇମୋହନ ।

କେବଳ ସିନେମା ନୁହେଁ ୪୦ରୁ ଅଧିକ ଯାତ୍ରା ଓ ଧାରାବାହିକରେ ବି ଦେଖିବାକୁ ମିଳିଛି ତାଙ୍କ ଅଭିନୟ । ମଂଜରୀ ଟିଭି ଦ୍ୱାରା ପ୍ରସ୍ତୁତ ହୋଇଥିବା ଧାରାବାହିକ ସିଂହଦ୍ୱାରରେ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ରାଇମୋହନ ।

ପରଦାରେ ଏଇ ଅନାନି ଡାଏଲଗ କହୁଥିବା ଭିଲିଆନର ଅଭିନୟ ଯାତ୍ରା ମଂଚରେ ବି ଦେଖାଇଛି କମାଲ । ପରଦାରେ ଯେଉଁ ଖଳନାୟକର ଅଭିନୟ ଦେଖି ଖୁସି ହେଉଥିଲେ ଦର୍ଶକ, ତାଙ୍କ ଅଭିନୟ ଯାତ୍ରା ମଂଚରେ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଇଥିଲେ ।

ରାଇମୋହନ ପରିଡା କେବଳ ନିଜ ଖଳନାୟିକ ଅଭିନୟ ପାଇଁ ନୁହେଁ ବରଂ ନିଜ ଆକର୍ଷଣୀୟ ଅଭିନୟ ପାଇଁ ଓଡିଶାର ଘରେ ଘରେ ହୋଇଥିଲେ ପରିଚିତ । ସବୁବେଳେ ନିଜ ଜୀବନ୍ତ ଅଭିନୟରେ ଅନ୍ୟଙ୍କୁ ଡରାଇଦେଉଥିବା ମଣିଷଟି ଯେ, ଶେଷକୁ ଆତ୍ମହତ୍ୟା କରିବେ ଏକଥା ସହଜରେ ଗ୍ରହଣ କରି ହେଉନାହିଁ ।