ସଙ୍କଟରେ ହରିୟାଣାର ସୈନୀ ସରକାର । ୩ ସ୍ୱାଧୀନ ବିଧାୟକ ପ୍ରତ୍ୟାହାର କଲେ ସମର୍ଥନ । ଭାଙ୍ଗିଯିବ କି ବିଜେପି ସରକାର?

567

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଭିତରେ ହରିୟାଣାରେ ଶାସକ ଦଳ ବିଜେପିକୁ ଲାଗିଛି ବଡ ଝଟକା । ସରକାରରେ ସାମିଲ ଥିବା ୩ ଜଣ ନିର୍ଦ୍ଦଳୀୟ ବିଧାୟକ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏଥିସହିତ ହରିୟାଣାରେ ବିଜେପି ସରକାର ଏବେ ସଙ୍କଟରେ ପଡିଛି । ତିନି ସ୍ୱାଧୀନ ବିଧାୟକ ସୋମବୀର ସାଙ୍ଗବାନ, ରଣଧୀର ଗୋଲେନ୍ ଏବଂ ଧର୍ମପାଲ ଗୋନ୍ଦର ସୈନୀ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି ।

ତିନି ବିଧାୟକ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଏଭଂ ରାଜ୍ୟ କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ଘୋଷଣା କରିଥିଲେ । ସ୍ୱାଧୀନ ବିଧାୟକ ଧର୍ମପାଲ କହିଥିଲେ କି, ଆମେ ସରକାରରୁ ଆମ ସମର୍ଥନ ପ୍ରତ୍ୟାହାର କରୁଛୁ । ଏଥିସହିତ କଂଗ୍ରେସକୁ ଆମ ସମର୍ଥନ ଘୋଷଣା କରୁଛୁ । ଆମେ ଚାଷୀ ସହ ଜଡିତ ବିଭିନ୍ନ ମୁଦ୍ଦାକୁ ଲକ୍ଷ୍ୟ କରି ଏହି ନିଷ୍ପତ୍ତି ନେଉଥିବା କହିଛନ୍ତି ସ୍ୱାଧୀନ ବିଧାୟକ ।

ଅନ୍ୟପଟେ ହରିୟାଣା ପ୍ରଦେଶ କଂଗ୍ରେସର ସଭାପତି ଉଦୟ ଭାନ କହିଛନ୍ତି ଯେ, ତିନି ସ୍ୱାଧୀନ ବିଧାୟକ ବିଜେପି ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏବଂ କଂଗ୍ରେସକୁ ନିଜର ସମର୍ଥନ ଦେଇଛନ୍ତି । ତେବେ ୯୦ ସିଟ୍ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ବିଧାୟକ ରହିଛନ୍ତି । ଯେଉଁଥିରୁ ୪୦ ବିଧାୟକ ହେଉଛନ୍ତି ବିଜେପି ଦଳର । ଅନ୍ୟପଟେ ପୂର୍ବରୁ ସରକାରରେ ଥିବା ଜେଜେପି ମଧ୍ୟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିସାରିଛି । ତେଣୁ ସ୍ୱାଧୀନ ବିଧାୟକ ଏବେ ସମର୍ଥନ ପ୍ରତ୍ୟାହାର କରିବା ପରେ ନାୟାବ୍ ସିଂହ ସୈନୀ ସରକାର ଏବେ ସଂଖ୍ୟାଲଘୁ ସରକାରରେ ପରିଣତ ହେଇଛି । ତେଣୁ ସୈନୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି ହରିୟାଣା କଂଗ୍ରେସ ସଭାପତି ।