ରାଇସିନା ହିଲ ଯିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ଦ୍ରୌପଦୀ ମୁର୍ମୁ

168

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ପଦବୀ ଲାଗି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟର ଦୃଶ୍ୟ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖ । କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାର୍ଥିପତ୍ରରେ ସମର୍ଥକ ରହିଥିବା କେତେକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଟୁକୁନି/ଜଗନ୍ନାଥ… ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକ ରହିଥିବାବେଳେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦସ୍ତଖତ କରିଛନ୍ତି । ଏ ନେଇ ଆଗରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ମନ୍ତ୍ରୀ ମଧ୍ୟ ଦ୍ରୌପଦୀଙ୍କ ସହ ଦିଲ୍ଲୀ ଯାଇଥିଲେ । ବିଜେପି ଏମଏଲଏ… ଅନ୍ୟପଟେ ରାଜ୍ୟ ବିଜେପିର ୧୨ ବିଧାୟକ ଦିଲ୍ଲୀ ଯାଇଥିବାବେଳେ ଏମାନେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିଛନ୍ତି ।

ଶୁକ୍ରବାର ଦ୍ରୌପଦୀ ମୁର୍ମୁ ନାମାଙ୍କନ କରିଥିଲେ ବି ସେ ଏକପ୍ରକାର ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । କାରଣ ଇଲେକ୍ଟୋରାଲ କଲେଜର ୫୦ ପ୍ରତିଶତରୁ ଅଧିକ ସମର୍ଥନ ଦ୍ରୌପଦୀଙ୍କ ପଛରେ ରହିଛି ।

ଦ୍ରୌପଦୀଙ୍କ ରାଇସିନା ହିଲ ଯିବା ସମ୍ଭାବନା ଅଧିକ
ମୋଟ ଭୋଟର ମୂଲ୍ୟ- ୧୦ ଲକ୍ଷ ୮୬ ହଜାର ୪୩୧
ବିଜୟ ପାଇଁ ଆବଶ୍ୟକ- ୫ ଲକ୍ଷ ୪୩ ହଜାର ୨୧୬
ଏନଡିଏ ପାଖରେ ଅଛି- ୫ ଲକ୍ଷ ୨୫ ହଜାର ୭୦୬
ଜିତିବା ପାଇଁ ଏନଡିଏକୁ ଦରକାର– ୧୭ ହଜାର ୫୧୦
ବିଜେଡି ପାଖରେ ଅଛି – ୩୧ ହଜାର ୬୮୬
ୱାଏସଆର କଂଗ୍ରେସର ଅଛି- ୪୩ ହଜାର ୪୫୦

ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧୭ ହଜାରରୁ ସାମାନ୍ୟ ଅଧିକ ଭୋଟ ଦରକାର ହେଉଥିବାବେଳେ ବିଜେଡି ପରେ ୱାଇଏସଆର କଂଗ୍ରେସ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବ ବୋଲି ଘୋଷଣା କରିସାରିଛି । ତେଣୁ ସେ ବିରୋଧୀ ମେଂଟର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ଠାରୁ ଢେର ଆଗରେ ଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଦ୍ରୌପଦୀ ମୁର୍ମୁ ରାଇସିନା ହିଲା ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କ ରାଇରଙ୍ଗପୁର ବାସଭବନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଶୁଭେଚ୍ଛୁ । ସାନ୍ତାଳି ନାଚ ଗୀତରେ ଦୁଲୁକୁଛି ରାଇରଙ୍ଗପୁର । ଆଗାମୀ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଜୁଲାଇ ୨୧ରେ ଭୋଟ ଗଣନା କରାଯାଇ, ଜୁଲାଇ ୨୫ ତାରିଖରେ ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ।