କଣ ଘଟିଲା, କାହିଁକିି ଚରମ ନିଷ୍ପତି ନେଲେ ରାଇମୋହନ? ପାରିବାରିକ ସମସ୍ୟା ନା ଆର୍ଥିକ ସମସ୍ୟା ପାଇଁ କଲେ ଆତ୍ମହତ୍ୟା?

1,237

କନକ ବ୍ୟୁରୋ: ରାଇମୋହନ ପରିଡ଼ା । ଓଡ଼ିଶାର ଏପରି ଲୋକ ନଥିବେ ଯିଏ ତାଙ୍କୁ ଜାଣିନଥିବେ । କୋଣ ଅନୁକୋଣରେ ଥିଲେ ତାଙ୍କର ଫ୍ୟାନ । ଓଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତା । ଖଳନାୟକ ଭାବେ ଅଭିନୟ କରୁଥିଲେ ସତ, କିନ୍ତୁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।

ଯେତେବେଳେ ରାଇମୋହନଙ୍କ ପରଲୋକ ଖବର ଆସିଲା, ସେତେବେଳେ ତାଙ୍କ ବାସଭବନ ଲୋକାରଣ୍ୟ ହୋଇ ଉଠିଥିଲା । ବାସଭବନ ଠାରୁ ଆରମ୍ଭ କରି ହସପିଟାଲ ପର୍ଯ୍ୟନ୍ତି ଫ୍ୟାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କେହି ବିଶ୍ୱାସ କରି ପାରୁନଥିଲେ ଯେ ସେମାନଙ୍କ ପ୍ରିୟ ଅଭିନେତା ଆଉ ଏହି ଦୁନିଆରେ ନାହାନ୍ତି । ଅନେକ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସାଥୀ କଳାକାରମାନେ ସ୍ତବ୍ଧ ହୋଇ ଯାଇଥିଲେ । କାରଣ ଜଣେ ଖୁସ୍ ମିଜାଜ୍ର କଳାକାରଙ୍କ ଅକାଳ ବିୟୋଗକୁ ଗ୍ରହଣ କରିପାରୁନଥିଲେ । ସମସ୍ତଙ୍କ ପାଇଁ ସବୁଠୁ ଆଶ୍ଚର୍ଯ୍ୟର କଥା ଥିଲା, ନିଜ ଘରେ ରଶି ଲଗାଇ ରାଇମୋହନ ଆତ୍ମହତ୍ୟା କରିଥିବା ଖବର ।

ସୂଚନା ଅନୁସାରେ କିଛି କାମରେ ଘରୁ ବାହାରକୁ ଯାଇଥିବା ତାଙ୍କ ପତ୍ନୀ ଓ ଝିଅଙ୍କ ମୋବାଇଲ୍କୁ ହ୍ୱାଟ୍ସଆପ୍ ମେସେଜ୍ ଆସିଲା ଗୁଡ-ବାଏ । ଏହି ମେସେଜ୍ ପାଇବା ପରେ ରାଇମୋହନଙ୍କ ମୋବାଇଲକୁ ଘନ ଘନ ଫୋନ କରିଥିଲେ, ହେଲେ କୌଣସି ଉତର ମିଳିନଥିଲା । ସେମାନଙ୍କ ମନରେ ପାପ ଛୁଇଁବାରୁ ସଂପର୍କୀୟଙ୍କୁ ଫୋନ କରି ଘରକୁ ଯିବାକୁ କହିଥିଲେ, ଆଉ ସେମାନେ ମଧ୍ୟ ଫେରି ଆସିଥିଲେ । ସେଠାରେ ଯାହା ଦେଖିଲେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଘର ଭିତରେ ରଶି ଲଗାଇ ଝୁଲି ପଡିଥିଲେ ରାଇମୋହନ ।

ଅସମୟରେ ରାଇମୋହନଙ୍କ ପରଲୋକ କେବଳ ଚଳଚିତ୍ର ଜଗତ ନୁହେଁ, ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ତାଙ୍କୁ ଜାଣିଥିବା ଲୋକ କହିଛନ୍ତି, ବେଶ ହସଖୁସିର ମଣିଷ । ସମସ୍ତଙ୍କୁ ଜୀବନ ବଂଚିବାର କଳା ଶିଖାନ୍ତି । ହେଲେ ତାଙ୍କ ଜୀବନରେ ଏପରି କଣ ଘଟିଲା ଆତ୍ମହତ୍ୟା ଭଳି ନିଷ୍ପତି ନେବାକୁ ସେ ପଛାଇଲେ ନାହିଁ । ସବୁଠୁ ବଡ଼ କଥା ହେଉଛି, ଅଭିନେତା ଅଶ୍ରୁମୋଚନ ମହାନ୍ତି କହିଛନ୍ତି, ଦିନକ ପୂର୍ବରୁ ତାଙ୍କ ସହ କଥା ହୋଇଥିଲେ । ସବୁ କିଛି ସ୍ୱାଭାବିକ ଥିଲା, ଏପରିକି ଗୋଟିଏ ନୂଆ ଫାର୍ମହାଉସ୍ କରିବା ପାଇଁ ଯୋଜନା କରୁଥିଲେ ।

ସଂପର୍କୀୟ, ପଡ଼ୋଶୀ ଓ ସାଥୀ କଳାକାର କହିଛନ୍ତି, ସମସ୍ତଙ୍କ ସହ ତାଙ୍କର ଭଲ ସଂପର୍କ ଥିଲା । ଆର୍ଥିକ ସମସ୍ୟା ନଥିଲା । ମାନସିକ ସ୍ତରରେ ସେ ଦୃଢ଼ ଥିଲେ । ଏହା ସତ୍ୱେ ଆତ୍ମହତ୍ୟା କରିବା ଭଳି ନିଷ୍ପତି ନେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ
ରାଇମୋହନଙ୍କର କିଛି ପାରିବାରିକ ସମସ୍ୟା ରହିଥିଲା କି?
ହଠାତ୍ ଏପରି କିଛି ଘଟିଥିଲା, ଯାହାକୁ ସେ ଗ୍ରହଣ କରିପାରନଥିଲେ?
କୌଣସି ବ୍ୟକ୍ତିଗତ ଘଟଣା ତାଙ୍କୁ ଆନ୍ଦୋଳିତ କରୁଥିଲା କି?
କୌଣସି ସମସ୍ୟାର ସମାଧାନର ବାଟ ପାଉନଥିଲେ କି ରାଇମୋହନ?
ମୁହଁରେ ହସ ଥିଲେ ବି ମନର କୋହକୁ ଦୀର୍ଘଦିନ ଧରି ଚାପି ରଖିଥିଲେ କି?