କାହିଁକି ମୂଲ ଲାଗିଲେ ଇଫୁ ମଲ୍ଲିକ? କାହିଁକି ଡାକ୍ତର ହେବାକୁ କଲେ ଇଚ୍ଛା? ନ୍ୟୁଜମେକରରେ କହିଲେ ମନର କଥା

131

କନକ ବ୍ୟୁରୋ: ଡାକ୍ତର ହେବା ପାଇଁ କାହିଁକି ନିଷ୍ପତ୍ତି ନେଲେ ଇଫୁ ମଲ୍ଲିକ? କନକ ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଯୋଗ ଦେଇ ଇଫୁ କହିଛନ୍ତି ତାଙ୍କର ସଂଘର୍ଷର କାହାଣୀ । ଛୋଟ ଥିବାବେଳେ ନିଜ ଭାଇକୁ ରୋଗରେ ପଡି ଚିକିତ୍ସା ନପାଇ ମୃତ୍ୟୁବରଣ କରିବାର ଦେଖିଥିଲେ ଇଫୁ । ସେଇଦିନ ନିଷ୍ପତ୍ତି ନେଇଥିଲେ ବଡ ହେଲେ ଡାକ୍ତର ହେବି, ଗାଁରେ ଡାକ୍ତରଖାନା ଖୋଲିବି ।

କାହିଁକି ମୂଲ ଲାଗିଲେ ଇଫୁ ମଲ୍ଲିକ?

କନ୍ଧମାଳ ଜିଲ୍ଲା ବାଲିଗୁଡା ବାଗ୍ରିମାଲା ଗାଁର ଇଫୁ ମଲ୍ଲିକ । କିଛିଦିନ ତଳେ ଇଫୁ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ଏହି ମେଧାବୀ ଛାତ୍ର ବିଲରେ ମୂଲ ଲାଗି ବହୁ କଷ୍ଟରେ ନିଟ ପରୀକ୍ଷାରେ ପାସ୍ କରି ମେଡିକାଲ ପାଇଛନ୍ତି । କନକ ନ୍ୟୁଜର ନ୍ୟୁଜମେକର କାର୍ଯ୍ୟକ୍ରମରେ ସେ ନିଜ ଅନୁଭୂତି କଥା କହିଛନ୍ତି । ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ସେ । ଡାକ୍ତରୀ ପାଠା ପଢିବା ପାଇଁ ସେ ମଜୁରୀ ଲାଗିଲେ କାହିଁକି । ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ପଢା ଖର୍ଚ୍ଚ ଉଠାଇବା ପାଇଁ ସେ ମୂଲ ଲାଗୁଥିଲେ । ତାଙ୍କ ସାମ୍ନାରେ ଯେଉଁ କାମ ମିଳିଲା ତାହାକୁ ସେ କଲେ ।

କାହିଁକି ପଢିଲେ ଡାକ୍ତରୀ ପାଠ?

ନ୍ୟୁଜମେକର କାର୍ଯ୍ୟକ୍ରମରେ ଡାକ୍ତରୀ ହେବା ନେଇ ଅଙ୍ଗେ ନିଭାଇବା କଥା କହିଛନ୍ତି ଇଫୁ । ତାଙ୍କ କହିବା କଥା ହେଲା, ପିଲାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଡାକ୍ତରୀ ସେବା ନ ପାଇ ପ୍ରାଣ ହରାଇଥିଲେ । ଏହା ତାଙ୍କୁ ବେଶ ବ୍ୟଥିତ କରିଥିଲା । ଆଉ ସେ ଡାକ୍ତରୀ ହେବାକୁ ମନସ୍ଥ କରିଥିଲେ । ଗାଁରରେ କେହି ସ୍ୱାସ୍ଥ୍ୟସେବା ଅଭାବରୁ ପ୍ରାଣ ନ ହରାନ୍ତୁ ଏଥିପାଇଁ ସେ ଶପଥ ନେଇଛନ୍ତି ବୋଲି କହିଛନ୍ତି ଇଫୁ ।

ସବୁ ବାଧା ବନ୍ଧନକୁ ଏଡାଇ ଆଡେଇ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏମବିବିଏସ୍ ପ୍ରଥମ ବର୍ଷରେ ନାଁ ଲେଖାଇଛନ୍ତି ଇଫୁ ମଲ୍ଳିକ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଫୁ । ତାଙ୍କର ଡାକ୍ତରୀ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।