ଦିଲ୍ଲୀ ଏମିସିଡିରେ ଆପର ବିଜୟ ପରେ କିଏ ହେବ ମେୟର? ଜାଣନ୍ତୁ ଏନେଇ କ’ଣ ରହିଛି ଆକଳନ..

142

କନକ ବ୍ୟୁରୋ:  ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ତେ୍ୱ କିଏ ହେବ ମେୟର, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୫୦ ୱାର୍ଡ ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି । ଏଥିସହ ଦିଲ୍ଲୀ ଏମସିଡିରେ ବିଜେପିର ୧୫ ବର୍ଷର ଶାସନର ଅନ୍ତ ଘଟାଇଛି ଆପ୍ । ବିଜେପି ପୌର ନିର୍ବାଚନରେ ହାରିଥିଲେ ବି ମେୟର ପଦ ଲଢ଼ିବ ବୋଲି ସୂଚନା ମିଳିଛି ।

ନିୟମ ଅନୁସାରେ, ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ମେୟର ନିର୍ବାଚନ ହୋଇଥାଏ । ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ଯାହାକୁ ମନୋନୀତ କରିବେ, ସେ ହିଁ ମେୟର ହେବେ । କିନ୍ତୁ ବିରୋଧୀ ଦଳ ଯଦି ପ୍ରାର୍ଥୀ ଦେବେ, ତାହେଲେ ମେୟର ପଦ ପାଇଁ ନିର୍ବାଚନ ହେବା ନେଇ ରହିଛି ନିୟମ । ତିନି ବର୍ଷରେ ଥରେ ପୌର ନିର୍ବାଚନ ହେଉଥିବା ବେଳେ ମେୟରଙ୍କ କାର୍ଯ୍ୟକାଳ ମାତ୍ର ୧ ବର୍ଷ ଧାର୍ଯ୍ୟ ହୋଇଥାଏ । ତେଣୁ ପ୍ରଥମ ତିନି ବର୍ଷ ମଧ୍ୟରୁ ପ୍ରଥମ ବର୍ଷ ଜଣେ ମହିଳା ମେୟର ହେବା ଏକପ୍ରକାର ନିଶ୍ଚିତ । ଏଭଳି ସ୍ଥିତିରେ ଯଦି ମେୟର ପାଇଁ ନିର୍ବାଚନ ହୁଏ, ତେବେ ବିଜେପି ନିଶ୍ଚିତ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି । ପୌର ନିର୍ବାଚନ ପାଇଁ ଆଂଟି-ଡିଫେକ୍ସନ ଲ’ ପ୍ରଯୁଜ୍ୟ ହୋଇନଥିବାରୁ ମେୟର ନିର୍ବାଚନରେ କ୍ରସ ଭୋଟିଂ ହୋଇଥାଏ । ତେଣୁ କାଉନସିଲର କାହାକୁ ଭୋଟ୍ ଦେବେ, ସେଥିପାଇଁ କୌଣସି ହ୍ୱିପ ଜାରି ହେବ ନାହିଁ । ଅନ୍ୟପକ୍ଷରେ ମେୟର ପଦ ପାଇବା ପାଇଁ ବିଜେପି ଘୋଡ଼ାବେପାର କରିପାରେ ବୋଲି ସୂଚନା ମିଳିଛି ।

କିଏ ହେବ ଏମସିଡି ମେୟର?
– ସଂଖ୍ୟା ଗରିଷ୍ଠତା ଦଳ ମନୋନୀତ କରିଥାଏ ମେୟର
– ବିରୋଧୀ ପ୍ରାର୍ଥୀ ଦେଲେ ହୋଇଥାଏ ନିର୍ବାଚନ
– ତିନିବର୍ଷରେ ଥରେ ହୋଇଥାଏ ପୌର ନିର୍ବାଚନ
– ମେୟରଙ୍କ କାର୍ଯ୍ୟକାଳ ରହିଥାଏ ୧ ବର୍ଷ
– ୱାର୍ଡ କାଉନସିଲର, ବିଧାୟକ, ଲୋକସଭା ଓ ରାଜ୍ୟସଭା ସାଂସଦ ଦେଇପାରିବେ ମେୟର ନିର୍ବାଚନ ପାଇଁ ଭୋଟ୍
– ଦିଲ୍ଲୀ ଏମସିଡିରେ ବିଜେପି ଜିତିଛି ୧୦୪ ଆସନ
– ବିଜେପିର ୭ଜଣ ଲୋକସଭା ସାଂସଦଙ୍କ ଭୋଟ୍ ମିଶାଇଲେ ୧୧୧ ହେବ ଭୋଟ୍ ସଂଖ୍ୟା
– ଆପ୍ ପାଖରେ ରହିଛନ୍ତି ୩ ରାଜ୍ୟସଭା ସାଂସଦ, ୧୪ ମନୋନୀତ ବିଧାୟକ ଓ ୧୩୪ କାଉନସିଲର
– ଏହାକୁ ମିଶାଇଲେ ଆପର ମୋଟ ସଂଖ୍ୟା ୧୫୪ ହେବ
– ମେୟର ନିର୍ବାଚନ ପାଇଁ ମୋଟ ଭୋଟ୍ ସଂଖ୍ୟା ୨୭୪
– ବହୁମତ ପାଇଁ ଦରକାର ୧୩୮ ଭୋଟ୍
– ପୌର ନିର୍ବାଚନ ପାଇଁ ଆଂଟି-ଡିଫେକ୍ସନ ଲ’ ପ୍ରଯୁଜ୍ୟ ହୋଇନଥିବାରୁ ମେୟର ନିର୍ବାଚନରେ ହୋଇଥାଏ କ୍ରସ ଭୋଟିଂ
– ଭୋଟ୍ ଦେବା ପାଇଁ କାଉନସିଲରଙ୍କ ପାଇଁ ଜାରି ହୋଇପାରିବନି କୌଣସି ହ୍ୱିପ୍
– ମେୟର ପଦ ପାଇବା ପାଇଁ ବିଜେପି କରିପାରେ ଘୋଡ଼ାବେପାର