ସାରା ଦେଶରେ ମୋଟ ବିଧାୟକଙ୍କ ସଂଖ୍ୟା ୪ ହଜାର ୩୩, ଜାଣନ୍ତୁ କେଉଁ ଦଳରୁ ରହିଛନ୍ତି କେତେଜଣ ବିଧାୟକ ?

1,958

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଗୁଜରାଟରେ ପୁଣି ବିଜେପି ସପ୍ତମଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ହିମାଚଳରେ କିନ୍ତୁ ବିଜେପି ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ପ୍ରଥମଥର ପାଇଁ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଖାତା ଖୋଲିଛି ଓ ୫ ଜଣ ବିଧାୟକ ବିଜୟୀ ହୋଇଛନ୍ତି । ଏହି କ୍ରମରେ ଦଳ ଏବେ ରାଷ୍ଟ୍ରୀୟ ପାର୍ଟି ହେବାର ମାନ୍ୟତା ହାସଲ କରିଥିବା କଥା ଦାବି କରିଛନ୍ତି ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।

ସେପଟେ ଗୁଜରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନୀ ଫଳାଫଳ ଆସିବା ପରେ ବିଜେପି ଓ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କ୍ରମାଗତଭାବେ କମିବାରେ ଲାଗିଛି । ତଥାପି ଦେଶର ଅଧିକ ବିଧାୟକ ମାମଲାରେ କଂଗ୍ରେସ ଏବେ ବି ଦ୍ୱିତୀୟ ସ୍ଥାନରେ ରହିଛି ।

ସାରା ଦେଶର ୨୮ ଟି ରାଜୃ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ ବିଧାୟକଙ୍କ ସଂଖ୍ୟା ୪ ହଜାର ୩୩ ଜଣ । ଏହି କ୍ରମରେ ବିଜେପି ବିଧାୟକଙ୍କ ସଂଖ୍ୟା ସବୁଠାରୁ ଅଧିକ । ବିଜେପିର ମୋଟ ୧୩୭୦ ବିଧାୟକ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ରହିଛି ଓ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୭୭୧ ଜଣ । ସେହିଭଳି ତୃତୀୟ ସ୍ଥାନରେ ତୃଣମୂଳ କଂଗ୍ରେସ ଥିବା ବେଳେ ତାର ବିଧାୟକଙ୍କ ସଂଖ୍ୟା ୨୧୫ ରହିଛି  । ଚତୁର୍ଥ ସ୍ଥାନରେ ଆମ୍ ଆଦମୀ ପାର୍ଟି ରହିଛି ଓ ଦଳର ବିଧାୟକ ୧୬୧ ରେ ପହଂଚିଛି ।

ଅନ୍ୟପଟେ ୱାଇଏସଆର କଂଗ୍ରେସର ବିଧାୟକ ସଂଖ୍ୟା ୧୫୧, ଡିଏମକେର ବିଧାୟକ ସଂଖ୍ୟା ୧୩୩, ସମାଜବାଦୀ ପାର୍ଟିର ବିଧାୟକଙ୍କ ସଂଖ୍ୟା ୧୧୩, ବିଜେଡିର ବିଧାୟକଙ୍କ ସଂଖ୍ୟା ୧୧୨ , ସିପିଆଇ (ଏମ)ର ବିଧାୟକଙ୍କ ସଂଖ୍ୟା ୮୯ ଓ ଟିଆରଏସର ବିଧାୟକଙ୍କ ସଂଖ୍ୟା ୮୮ ରହିଛି ।