ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ । ଜାଣନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଜଲଙ୍କୁ ଦେଇଥିଲା ଏହି ବଙ୍ଗଳା

2,045

କନକ ବ୍ୟୁରୋ : ମାଫିଆ କାଜଲ ଝା ଦିଲ୍ଲୀରେ ୮୦ କୋଟି ଟଙ୍କାର ବଙ୍ଗଳା ନିର୍ମାଣ କରିଥିଲେ । କାଜଲ ଝାର ଏହି ୮୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳାକୁ ଏବେ ନୋଏଡା ପୋଲିସ ସିଲ୍ କରିଦେଇଛି । କାଜଲ ଝା ହେଉଛି ଏକ ମାଫିଆ ଯିଏ ଗ୍ୟାଙ୍ଗଷ୍ଟର ରବି କାନାର କଳା ବ୍ୟବସାୟକୁ ପରିଚାଳନା କରୁଥିଲା । ନୋଏଡା ପୋଲିସ ବର୍ତ୍ତମାନ ରବି କାନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବ୍ୟସ୍ତ ଅଛି ।

ସ୍କ୍ରାପ୍ ମାଫିଆ ରବି କାନାଙ୍କ ବ୍ୟବସାୟରେ ସହାୟତା କରନ୍ତି କାଜଲ ଝା । ସେ ଗ୍ୟାଙ୍ଗଷ୍ଟର ରବିଙ୍କ କମ୍ପାନୀର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ମାଫିଆ ରବି ବିରୋଧରେ ଗ୍ୟାଙ୍କରେପ୍ ମାମଲାର କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ମାଫିଆ ରବି ଏବେ ଫେରାର୍ ଅଛି । ପୋଲିସ ତାକୁ ଖୋଜିବାରେ ଲାଗିଛି । ଏହାସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ମଧ୍ୟ ନୋଏଡା ପୋଲିସ ସିଲ୍ କରିବାରେ ଲାଗିଛି । ନୋଏଡା ପୋଲିସ ମାଫିଆ ରବିର ପତ୍ନୀ ସହ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଅଧିନରେ ମାମଲା ରୁଜୁ କରିଛି । ଏବେ ପର୍ଯ୍ୟନ୍ତ ପୋଲିସ ରବିର ୧୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଥିବା ସୂଚନା ରହିଛି ।

ଡିସେମ୍ବର ୩୦ରେ ଜଣେ ମହିଳା ରବି କାନା ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ଗ୍ୟାଙ୍ଗରେପ ମାମଲା ଥାନାରେ ରୁଜୁ କରିଥିଲେ । ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ୩ ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ହେଲେ ରବି ସହିତ ଅନ୍ୟ ୨ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ବିଟା ୨ ପୋଲିସ ଷ୍ଟେସନରେ ରବି କାନା ଓ ତାର ପତ୍ନୀ ସମେତ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

ଏହାରି ଭିତରେ ପୋଲିସ ମାଫିଆ ରବିର ବିଭିନ୍ନ ଠିକଣାରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏବଂ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ କୋଠା ଉପରେ ଚଢାଉ କରି ତାହାକୁ ଜବତ କରିଛି । ଏହି କୋଠାର ଆନୁମାନିକ ମୂଲ୍ୟ ୮୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ବଙ୍ଗଳାରେ ମାଫିଆ କାଜଲ ଝା ରହୁଥିଲେ ।

ପୋଲିସ ରବିର ଘର ଉପରେ ଚଢାଉକରିଥିଲା । ଏବଂ ଇକୋଟେକ୍ ଅଂଚଳରେ ୫ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ୍ ଏବଂ ୩୦ କୋଟି ଟଙ୍କାର ଜମି ଜବତ କରିଛି ଓ ବିସ୍ରାକର ଚେରି କାଉଣ୍ଟି ଅଂଚଳରେ ୫୦୦୦ ଗଜ ଜମି ମଧ୍ୟ ସିଲ୍ କରାଯାଇଛି । ଏହା ବ୍ୟତିତ ୨୦ ଟି ଖାଲି ଟ୍ରକ୍ ଏବଂ ସ୍କ୍ରାପ୍ ସହିତ ଲୋଡ ଥିବା ଦୁଇଟି ଟ୍ରକ୍ ଯାହାର ମୂଲ୍ୟ ୫ କୋଟି ଟଙ୍କା କୁହାଯାଉଛି, ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

୧୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦ ଟନ୍ ସ୍କ୍ରାପ୍ ଓ ରଡ ମଧ୍ୟ ପୋଲିସ ଜବଦ କରିଛି । ଏବଂ ୬୦ ଟି ବଡ ଗାଡିକୁ ମଧ୍ୟ ସିଲ୍ କରାଯାଇଛି । ବର୍ତ୍ତମାନ ମାଫିଆ ରବି ଫେରାର ଅଛି ତାକୁ ଧରିବା ପାଇଁ ପୋଲିସ ନିଜର ପ୍ରାଣବଳେ ଚେଷ୍ଟା କରୁଛି । ପୋଲିସ ଏହା ମଧ୍ୟ କହିଛି ଯେ ରବି କାନା ବେଆଇନ ଭାବରେ ଅର୍ଜନ କରିଥିବା ସମ୍ପତ୍ତିର ଯାଂଜ କରାଯାଉଛି ଏବଂ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

ହେଲେ କାଜଲ ଝା ରବି କାନାକୁ କିଭଳି କେଉଁ ପ୍ରକାରର ସହାୟତା କରୁଥିଲା ଯେଉଁ କାରଣରୁ ରବି କାଜଲକୁ ଏତେ ମୂଲ୍ୟର ବିଳାଶପୂର୍ଣ୍ଣ ବଙ୍ଗଳା ଦେଇଥିଲା ତାହା ଉପରେ ପୋଲିସ ଯାଂଚ କରୁଛି   ।