ବିଜେପିରୁ ଇସ୍ତାହାରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି ଜୋରଦାର ଟାର୍ଗେଟ୍ ।

278

କନକ ବ୍ୟୁରୋ: ବିଜେଡିର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ୍ କରିଛି ବିଜେଡି । ରାଜ୍ୟ ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର ଏବଂ ସାଂସଦ ସସ୍ମିତ ପାତ୍ର ବିଜେପି ଉପରେ ବର୍ଷିଛନ୍ତି । ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି ।

ଉଦାହରଣ ଦେଇ ବିଜେଡି ନେତା କହିଛନ୍ତି, ବିଜେପି ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କହିଥିଲେ, ହେଲେ କଲେନି । ଏବେ କିନ୍ତୁ ଏମଏସପିକୁ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ସେହିପରି ୨୦୧୪ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କହିଥିଲେ, ହେଲେ ତା ମଧ୍ୟ କଲେନି । ଅନ୍ୟପଟେ ରାଜ୍ୟ ବିଜେପି ତାଙ୍କ ମାନିଫେଷ୍ଟୋରେ ଗରିବଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ସେଇମାନେ ହିଁ ୧୪ ଲକ୍ଷ ଆବାସ ଘର ବନ୍ଦ କରିଦେଲେ ବୋଲି କହିବା ସହିତ ବିଜେପିକୁ ତୀର ମାରିଛନ୍ତି ବିଜେଡି ନେତା ।

ବିଜେପି ୨୦୧୪ରେ ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ୧୦ ବର୍ଷରେ ସେହି ହିସାବରେ ୨୦ କୋଟି ଚାକିରି ଦେବା କଥା । ଯାହା ଭିତରୁ ଓଡିଶାର ଭାଗ ହେଉଛି ୮୦ ଲକ୍ଷ । ହେଲେ ୮୦ ଲକ୍ଷ ତ ନୁହେଁ ବରଂ ୮୦ ହଜାର ଚାକିରି ମଧ୍ୟ ସେ ଦେଇନାହାଁନ୍ତି । ହେଲେ ଏବେ କିନ୍ତୁ ନିଜ ଇସ୍ତାହାରରେ ଯୁବ ବର୍ଗଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଛି ରାଜ୍ୟ ବିଜେପି ।

ଅନ୍ୟପଟେ ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର କହିଥିଲେ ଯେ, ବିଜେପି ପ୍ରତି ଗାଁ ଆଉ ପଞ୍ଚାୟତରେ ମୋବାଇଲ୍ ନେଟୱାର୍କ ବସାଇବାକୁ କହିଥିଲା । ଓଡିଶାରେ ୫ଟି ଚାଲିବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଜି ବି କିଛି ଅଞ୍ଚଳରେ ଗଛରେ ନଚଢିଲେ, ପାହାଡ ନଚଢିଲେ ନେଟୱାର୍କ ଆସୁନି । ସେହିପରି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଇ, ନିଜ ଇସ୍ତାହାରରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଅପରାଧ ମୁକ୍ତ ନିର୍ବାଚନ କରିବାକୁ କହି, ଅପରାଧୀଙ୍କୁ ଟିକେଟ୍ ଦେଉଛନ୍ତି । ଏମିତି କି ଯେଉଁ ନେତାମାନେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିଲେ, ସେହି ନେତାଙ୍କୁ ଦଳକୁ ଆଣି, ଟିକେଟ୍ ଦେଉଛି ବିଜେପି । ତା ସହ ରେଳ ସଂଯୋଗୀକରଣ, ମନ୍ଦିର ରୂପାନ୍ତରୀକରଣ, ବ୍ୟାଙ୍କ ସେବା, ହୋ, ମୁଣ୍ଡାରୀ ଏବଂ କୋଷଳୀ ଭାଷାକୁ ମାନ୍ୟତା ଦେବା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବର୍ଷିଛି ବିଜେଡି ।