ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ

79

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କୋପ ବା (କନଫେରେନ୍ସ ଅଫ ପାର୍ଟିସ) ର ୨୮ତମ ସମ୍ମୀଳନୀ ଚଳିତ ବର୍ଷ ଦୁବାଇରେ ଆରମ୍ଭ ହୋଇଛି । ଏହି ସମ୍ମୀଳନିରେ ପରିବେଶ ସୁରକ୍ଷାପାଇଁ ପ୍ରମୁଖ ଦେଶ ମାନଙ୍କୁ ନେଇ ଜରୁରୀ ଆଲୋଚନା କରିବା ସହ ସଚେତନତା ମୂଳକ ପଦକ୍ଷେପ ଓ ଅନେକ ପର୍ଯ୍ୟାବରଣ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ ।

ଭାରତ ଏଥିରେ ଯୋଗ ଦେବା ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଓ ଲିଡଆଇଟି ୨.୦ ନାମରେ ଦୁଇଟି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ଭାରତ ଓ ୟୁଏଇର ସହଭାଗିତାରେ ଏହି ଯୋଜନା ଗୁଡିକର ପରଚାଳନା ପାଇଁ କିଛି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୟୁଏଇ ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱିଡେନ ସହ ଲିଡଆଇଟି ୨.୦ ଯୋଜନାର ଶୁଭାରମ୍ଭ ହେବ ।

ଚଳିତ ବର୍ଷ ଅକ୍ଟୋବର ମାସରେ ପରିବେଶ ମନ୍ତ୍ରାଳୟ ତରଫରୁ ଏହା ବିଷୟରେ ସୂଚନା ଦିଆ ଯାଇଥିଲା । ଗ୍ରୀନ କ୍ରେଡିଟ ଇନିସିଏଟିଭ ପରିବେଶ ବିଭାଗ ଜାରି କରିଥିବା ଗ୍ରୀନ କ୍ରେଡିଟ ପ୍ରୋଗ୍ରାମର ଅଂଶ ବିଶେଷ । ଏହି ଇିନିସିଏଟିଭ ମାଧ୍ୟମରେ ପ୍ରମୁଖ ଭାବେ ନଦୀପଠା ଅଂଚଳ ଓ ଅଣଉର୍ବର ଜମିରେ ବୃକ୍ଷରୋପଣ କରି ସେହି ଜମି ଗୁଡିକୁ କିପରି ପୁଣି ବ୍ୟବହାର ଉପଯୋଗୀ କରିବା ଏ ନେଇ ଧ୍ୟାନ ଦିଆଯିବ । ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ଗତ ଅକ୍ଟୋବର ମାସ ୧୩ ତାରିଖ ଏ ନେଇ ଜଣାଇଥିଲେ । ଏହା ଏକ ମାର୍କେଟ ଭିତିକ ଯୋଜନା ଯେଉଁଥିରେ ବିଭିନ୍ନ ବେସରକାରୀ ସଂସ୍ଥା, ଅନୁଷ୍ଠାନ ଓ ବେସରକାରୀ ଅଂଶୀଦାର ମାନଙ୍କୁ ପରିବେଶ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସହାୟତା ମିଳିବ । ଇଣ୍ଡିଆନ କାଉଁସିଲ ଅଫ ଫରେଷ୍ଟ ରିସର୍ଚ ଏଣ୍ଡ ଏଜୁକେସନ ଓ ମନ୍ତ୍ରୀ ମାନଙ୍କର ଏକ ଷ୍ଟିଅରିଂ କମିଟି ଏହି ଇନିସିଏଟିଭର କାର୍ଯ୍ୟକାରିତା ଓ ପରିଚାଳନା ଆଦିର ତଦାରଖ କରିବ ।

ପ୍ରାଥମିକ ଭାବେ ଏହି ଇନିସିଏଟିଭ ବୃକ୍ଷରୋପଣ କରିବା ସହ ଜଳ ସଂରକ୍ଷଣ ପାଇଁ ଯୋଜନା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖିଛି । ଇକୋ ଫ୍ରେଣ୍ଡଲି ଉପାୟରେ ଚାଷ କରିବା , ପରିବେଶ ନଷ୍ଟକାରୀ ଉପକରଣର ବ୍ୟବହାର କମ କରିବା, ଜୈବିକ ସନ୍ତୁଳନ ରକ୍ଷା କରିବା ଓ ବାୟୁ ତଥା ମୁର୍ତିକା ପଦୂଷଣ ରୋକିବା ଆଦି ମଧ୍ୟ ଯୋଜନା ଅନ୍ତର୍ଗତ । ଏସବୁକୁ ବ୍ୟବସ୍ଥିତ ଭାବେ ଚଳାଇବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ଅଣାଯାଉଛି ଏହା ମାଧ୍ୟମରେ ଏହି ଯୋଜନାରେ ଅଂଶୀଦାର କମ୍ପାନୀ ତଥା ବ୍ୟକ୍ତି ମାନେ ରେଜିଷ୍ଟର ଓ ଭେରିଫିକେସନ କରିବା ଗ୍ରୀନ କ୍ରେଡିଟର କ୍ରୟ ବିକ୍ରୟ ସହ ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇପାରିବେ । ଏହା ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଯେଉଁ ସବୁ ଲାଭ ମିଳିବ ତା ମୁତାବକ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ମୁଳକ ରାଶୀ ଓ ସୁବିଧା ମିଳିବ । ଏପରି ଭାବେ କେବଳ ସରକାରୀ ନୁହେଁ ପ୍ରାଇଭେଟ ସଂସ୍ଥା ଗୁଡିକର ମଧ୍ୟ ଏ ନେଇ ଅବଦାନ ରହିବ ଯାହା ଉଭୟ ପରିବେଶ ଓ ସରକାରଙ୍କ ପାଇଁ ଲାଭ ଦାୟକ ହେବ ।