ପଶ୍ଚିମ ଓଡ଼ିଶା ପାଳିଲା ସମ୍ବଲପୁରୀ ଦିନ୍। ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପାଳନ କଲେ ପଶ୍ଚିମ ଓଡ଼ିଶାବାସୀ। 

174

କନକ ବ୍ୟୁରୋ:  ସମ୍ବଲପୁରୀ ଦିବସ ଅବସରରେ ଉତ୍ସବ ମୁଖର ପଶ୍ଚିମ ଓଡିଶା । ଢୋଲ, ନିଶାଣ ବାଜା ଓ ସମ୍ବଲପୁରୀ ନାଚ, ଗୀତରେ ଝୁମୁଛି ପଶ୍ଚିମ ଓଡିଶାର ବିଭିନ୍ନ ସହର । ସମ୍ବଲପୁରୀ କବି ଓ ଭାଷା ସହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରୁଛି ସାରା ପଶ୍ଚିମ ଓଡିଶା । ସମ୍ବଲପୁରୀ ଖାଦ୍ୟର ମଜା ନେବା ସହ ନାଚ ଗୀତରେ ମସଗୁଲ ହୋଇଛନ୍ତି ଲୋକେ । ଚଳିତ ବର୍ଷ ପଶ୍ଚିମ ଓଡିଶା ଏକତା ମଞ୍ଚ ପକ୍ଷରୁ ଝାରସୁଗୁଡା ଠାରେ ପାଳିତ ହୋଇଛି ସମ୍ବଲପୁରୀ ଦିନ । ସମଲେଶ୍ୱରୀ ଭଜନ, ସମ୍ବଲପୁରୀ ଗୀତ, ନୃତ୍ୟ, ସମ୍ବଲପୁର ଫେସନ ଶୋ, କବିତା ଆସର, ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।

କନକ ନ୍ୟୁଜ ତରଫରୁ ସମ୍ବଲପୁରୀ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ବଲପୁରୀ ଦିନ ପ୍ରସାରିତ ହୋଇଛି । ଏଥିରେ ସାମିଲ ହୋଇ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସମ୍ବଲପୁରୀ ଗୀତ ଗାଇ ସମସ୍ତଙ୍କୁ ମତୁଆଲ କରିଛନ୍ତି । ସେହିପରି କଣ୍ଠଶିଳ୍ପୀ ଲିପ୍ସା ମହାରଣା, ଜୟଶ୍ରୀ ଧଳଙ୍କ ସମ୍ବଲପୁରୀ ଗୀତ ମନକୁ ଛୁଇଁ ଯାଇଥିଲା ।  କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ୟଙ୍ଗ କବି ଜ୍ଞାନ ହୋତା ସମ୍ବଲପୁରୀ ଭାଷାରେ କବିତା ଆବୃତି କରିଥିଲେ ।

ସମ୍ବଲପୁରୀ ଦିବସ ଅବସରରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଭାଷା, କଳା, ବସ୍ତ୍ର ଖାଦ୍ୟପେୟ, ଲୋକକଳା ତଥା ପରମ୍ପରାକୁ ଦେଶ ବିଦେଶରେ ପ୍ରସାର କରିବାକୁ ସଂକଳ୍ପ ନିଆଯାଇଛି । ଆଜିର ଦିନରେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏକ ହୋଇ ଧୁମଧାମରେ ସମ୍ବଲପୁରୀ ଦିବସ ପାଳନ କରିଛନ୍ତି ।