ନିର୍ବାଚନ ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସାଂଘାତିକ ଅଭିଯୋଗ । କହିଲେ ଟେସଲାକୁ ଜବରଦସ୍ତ ନିଆଯାଇଛି ଗୁଜରାଟ

377

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏଲନ୍ ମସ୍କଙ୍କ ଇଲେକଟ୍ରିକ ଅଟୋ ମୋବାଇଲ୍ କମ୍ପାନୀ ଟେସଲ୍କୁ ନେଇ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ରେବନ୍ତ ରେଡ୍ଡୀ କହିଛନ୍ତି କି, ଟେସଲା କମ୍ପାନୀ ତେଲେଙ୍ଗାନାରେ ତା’ର ପ୍ଲାଣ୍ଟ ବସାଇବାକୁ ଆଗ୍ରହୀ ଥିଲା । ହେଲେ କେନ୍ଦ୍ରର ବିଜେପି ସରକାର ଜୋର ଜବରଦସ୍ତ ଏହି ପ୍ରୋଜେକ୍ଟକୁ ଗୁଜରାଟ ପଠାଇ ଦେଇଛି ।

ରେବନ୍ତ ରେଡ୍ଡୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ, ତେଲେଙ୍ଗାନା ସହ ବିଜେପି ସରକାର ଅନ୍ୟାୟ କରିଛି । ଆମ ରାଜ୍ୟକୁ ଆସୁଥିବା ନିବେଶ ପ୍ରକଳ୍ପକୁ କେନ୍ଦ୍ର ସରକାର ଚାପ ପକାଇ ଗୁଜରାଟ ନେଇଯାଉଛନ୍ତି । ଏହାସହ ଏବେ ଫୋକ୍ସକନ୍ନ କମ୍ପାନୀକୁ ତେଲେଙ୍ଗାନାରୁ ଗୁଜରାଟ ନେଇଯିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା କଥା ରେବନ୍ତ ରେଡ୍ଡୀ ଅଭିଯୋଗ ଆଣିଛନ୍ତି ।

ଏହି କାରଣରୁ ଟେସଲା ଭାରତ ଛାଡି ଚାଲିଗଲା କି ବୋଲି ପ୍ରଶ୍ନର ଉତର ଦେଇ ରେବନ୍ତ ରେଡ୍ଡୀ କହିଛନ୍ତି କି, ଏକଥା ସେମାନଙ୍କୁ ଜଣାଥିବ । ହେଲେ ଟେସଲା ତେଲେଙ୍ଗାନାରେ ନିବେଶ କରିବାକୁ ଚାହୁଁଥିଲା ହେଲେ କେନ୍ଦ୍ର ସରକାରଙ୍କ ଚାପରେ ଏହା ଗୁଜରାଟ ଯିବାକୁ ନିଷ୍ପତ୍ତି ନେଇଥିଲା ବୋଲି ରେବନ୍ତ ଦାବି କରିଛନ୍ତି ।

କେବଳ ସେତିକି ନୁହେଁ ଅଭିଯୋଗ ସହ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରେବନ୍ତ ରେଡ୍ଡୀ । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଭାବୁଛନ୍ତି କି କେବଳ ଗୁଜରାଟ ହିଁ ହିନ୍ଦୁସ୍ଥାନ । ତେଣୁ ଅନ୍ୟରାଜ୍ୟମାନଙ୍କୁ ଆସୁଥିବା ନିବେଶ ହଡପ କରି ଗୁଜରାଟ ନେଇଯାଉଛନ୍ତି । ଅମିତ୍ ଶାହା ଓ ନରେନ୍ଦ୍ର ମୋଦୀଙ୍କ ପାଇଁ ତେଲେଙ୍ଗାନାବାସୀ ଦ୍ୱିତୀୟ ନାଗରିକ ।