ମରିିଯାଉଛି ବୈତରଣୀ ନଦୀ। ଖଣି ଓ ଶିଳ୍ପ ପାଇଁ ବଢୁଛି ବିପଦ। 

96

କନକ ବ୍ୟୁରୋ:  ସାମାଜିକ ଓ ଧାର୍ମିକ ଭାବାବେଗ ସହ ଜଡିତ ବୈତରଣୀ ନଦୀ ଉପରେ ବିପଦ ମାଡି ଆସୁଛି । ବର୍ଷା ଦିନେ କୂଳ ଉଛୁଳୁଛି, କିନ୍ତୁ ବର୍ଷା ୪ ମାସ ପରେ ଶୁଖିଲା ପଡୁୁଛି ବୈତରଣୀ । ଚାଷ କାମ କଥା ଛାଡନ୍ତୁ ପିଇବା ପାଇଁ ପାଣିର ସମସ୍ୟା ସୃଷ୍ଟି ହେଉଛି । କେନ୍ଦୁଝର ୯୦ ପ୍ରତିଶତ ଲୋକ ବୈତରଣୀ ଉପରେ ନିର୍ଭରଶୀଳ । ଖଣି ଓ ଶିଳ୍ପ ପାଇଁ ବୈତରଣୀ ବିପଦରେ ପଡିଥିବା ବେଳେ ଏବେ ଏକାଧିକ କମ୍ପାନୀ ପାଣି ନେବାକୁ ପାଇପ ବିଛାଉଛନ୍ତି । ଖଣିର ବର୍ଜ୍ୟବସ୍ତୁରେ ନଦୀଶଯ୍ୟା ପୋତି ହୋଇଯାଉଛି । ଏହାକୁ ବିରୋଧ କରି ବୈତରଣୀ ବଞ୍ଚାଅ ମଞ୍ଚ ପକ୍ଷରୁ ବୈତରଣୀ ପାଇଁ ଜନ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି ।

କେବଳ କେନ୍ଦୁଝର ନୁହେଁ ଯାଜପୁର, ଭଦ୍ରକ, ମୟୂରଭଞ୍ଜର ଅଧିକାଂଶ ଅଞ୍ଚଳ ବୈତରଣୀ ଉପରେ ନିର୍ଭର କରନ୍ତି । କେନ୍ଦୁଝର ଯୋଡା ଅଞ୍ଚଳରେ କାନପୁର ବୃହତ ଜଳ ପ୍ରକଳ୍ପର ପାଣିକୁ ଚାଷୀଙ୍କୁ ଦେବାକୁ ଦାବି ହେଉଛି । ଏପଟେ ରାଜ୍ୟର ବିଭିନ୍ନ ନଦୀର ସୁରକ୍ଷା ପାଇଁ ବିଜେପି ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ନଦୀ ଶୁଷ୍କ ଓ ପ୍ରଦୂଷିତ ହେଉଛି । କଳକାରଖାନ ଓ ଶିଳ୍ପ ପ୍ରତିଷ୍ଠାନ ଅନୁମତି ଠାରୁ ଅଧିକ ପାଣି ଶୋଷି ନେଉଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡିକ ଏବେ ବିପଦରେ ପଡିଥିବା ଅଭିଯୋଗ ଆଣିଛି ବିଜେପି ।