ଭଗବାନଙ୍କ ଭରସାରେ ପ୍ରାର୍ଥୀ । ନିର୍ବାଚନ ବେଳେ ମନ୍ଦିରରେ ଲାଗୁଛି ଗହଳି । ବଢ଼ିଯାଇଛି ମନ୍ଦିର ପୂଜାରୀଙ୍କ ଚାହିଦା

121

କନକ ବ୍ୟୁରୋ: ନେତା ଭୋଟ୍ ଖଣ୍ଡେ ଖଣ୍ଡେ ପାଇ ନିର୍ବାଚିିତ ହେଲେ ସ୍ଥାନୀୟ ଅଞ୍ଚଳର ସର୍ବେସର୍ବା ପାଲଟିବେ । ପ୍ରଚାର ବେଳେ ନେତା ଯଦିଓ ଜନତା ଜନାର୍ଦ୍ଦନଙ୍କ ଆର୍ଶୀର୍ବାଦ ଲୋଡୁଛନ୍ତି । ହେଲେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଭୁଲୁ ନାହାନ୍ତି ।

  • ତାରା ତାରିଣୀରେ ନବୀନ ପଟ୍ଟନାୟକ
  • ସମଲେଶ୍ୱରୀରେ ପ୍ରଣବ ପ୍ରକାଶ ଦାସ
  • ଧବଳେଶ୍ୱରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ହିଞ୍ଜିଳି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ତାରା ତାରିଣୀ ମନ୍ଦିର ଯାଇ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଜିଲ୍ଲାର ଅନ୍ୟନେତା ମାନେ ମା’ ବୁଢୀ ଠାକୁରାଣୀଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ପ୍ରାର୍ଥୀ ନିଜ ନିଜ ଅଞ୍ଚଳର ଆରାଧ୍ୟ ଠାକୁରଙ୍କ ନିକଟରେ ମନସ୍କାମନା କରିଥିବା ବେଳେ ଆଉ କିଛି ଅଖଣ୍ଡ ଦୀପ ମଧ୍ୟ ଜାଳିଛନ୍ତି । ଆଉ ନେତାଙ୍କ ମନସ୍କାମନା କିଭଳି ପୂରଣ ହେବ ସେଥିପାଇଁ ପୂଜାରୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଯାଇଥିଲେ । ତାଙ୍କ ସହ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଏବଂ ସୁଦର୍ଶନ ହରିପାଲ ମଧ୍ୟଥିଲେ । ସେହିପରି ଆଠଗଡର ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧବଳେଶ୍ୱର ପୀଠ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଯାଜପୁରରେ ମଧ୍ୟ ମା ବିରଜାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି କୋରେଇର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ । ଜିଲ୍ଲାର ନେତାମାନେ ପ୍ରାର୍ଥୀପତ୍ର ଦାଖଲ ହେଉ ଅବା ସୁବିଧା ଅସୁବିଧା ସମୟରେ ମା ବିରଜାଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି । ଅନ୍ୟପଟେ ପୂଜକ କହିଛନ୍ତି, ପ୍ରାର୍ଥୀ ଯିଏ ବି ହୁଅନ୍ତୁ ନିର୍ବାଚନୀ ବୈତରଣୀ ପାରି ହେବାକୁ ହେଲେ ଭଗବାନଙ୍କ ଶରଣକୁ ଆସିବାକୁ ପଡିବ । କୁଚିଣ୍ଡାର ବିଜେପି ବିଧାୟକ ପ୍ରାର୍ଥୀ ରବି ନାୟକ ଦୁର୍ଗା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନିର୍ବାଚନ ବେଳେ ନେତା ବିଜୟୀ ହେବା ପାଇଁ କଳ ବଳ କୌଶଳ ବ୍ୟବହାର କରନ୍ତି । ଘର ଘର ବୁଲି ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନେତା ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି ଫଳାଫଳକୁ ଈଶ୍ୱରଙ୍କ ଉପରେ ଛାଡି ଦିଅନ୍ତି ।