ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଅଭିଜ୍ଞ ଓ ଯୁବ ଚେହେରାଙ୍କୁ ଚୟନକାରୀ ଟିମର ପ୍ରାଥମିକତା, ସ୍ଥାନ ନପାଇବାରୁ ରିଙ୍କୁ ସିଂଙ୍କୁ ନେଇ ଚର୍ଚ୍ଚା

941

କନକ ବ୍ୟୁରୋ : ଠିକ୍ ମାସକ ପରେ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ । ଫଟାଫଟ କ୍ରିକେଟର ଏହି ରୋମାଂଚକର ମ୍ୟାଚ ପାଇଁ ଦଳ ମଧ୍ୟ ଘୋଷଣା ହୋଇଛି । କିନ୍ତୁ ୧୫ ଜଣିଆ ଦଳରେ ସ୍ଥାନ ପାଇନଥିବା ୪ ଖେଳାଳିଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି । ଆଉ ଖାସ୍ ଚର୍ଚ୍ଚା ହେଉଛି ରିଙ୍କୁ ସିଂଙ୍କୁ ନେଇ । ଆଇପିଏଲରେ କେକେଆର ଟିମରୁ ପ୍ରତିନିଧିତ୍ୱ କରୁଥିବା ଏହି ଯୁବ ଖେଳାଳିଙ୍କ ଉଚ୍ଚାରଣ ଓ ଆଚରଣ ନରମ କିନ୍ତୁ ବ୍ୟାଟ ଧରିଲେ ଆରମ୍ଭ କରନ୍ତି ଧୂଆଁଧାର ବ୍ୟାଟିଂ । ଯେଉଁଠି ବଲର ହୁଅନ୍ତି ନିରାଶ । ପରିସ୍ଥିତି ଯାହା ହେଉନା କାହିଁକି କ୍ରିଜରେ ରିଙ୍କୁଙ୍କ ଉପସ୍ଥିତି ବିଜୟ ପାଇଁ ବିଶ୍ୱାସ ସୃଷ୍ଟି କରେ । ଏହାପରେ ବି ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ତାଙ୍କୁ ଦଳରେ ସାମିଲ ନକରିବା ବିତର୍କକୁ ଜନ୍ମ ଦେଇଛି । ଗତବର୍ଷ ଆଇପିଏଲରେ ରିଙ୍କୁ ସିଂହ ପ୍ରଭାବୀ ଖେଳାଳି ଭାବେ ଏଂଟ୍ରି କରିବା ପରଠାରୁ ଏହି ବାମହାତୀ ବ୍ୟାଟର ଭାରତର ହ୍ୱାଇଟ୍ ବଲ୍ ଟିମର ସଦସ୍ୟ ରହିଛନ୍ତି । ଦଳ ପ୍ରାରମ୍ଭିକ ୱିକେଟ୍ ହରାଇଲେ ଚାପ ସମ୍ଭାଳିବା ଓ କାଉଂଟର ଆଟାକ୍ ଆରମ୍ଭ କରିବାର ଦକ୍ଷତା ହେଉ କିମ୍ବା ଫିନିସର ଭୂମିକାରେ ନିୟୋଜିତ ହେଉ, ରିଙ୍କୁ ଏଯାବତ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ପେଶ ବୋଲର ଓ ସ୍ପିନରଙ୍କ ବିପକ୍ଷରେ ତାଙ୍କର ଦକ୍ଷତା ସହିତ କ୍ରିଜକୁ ଆସିଲେ ବଲକୁ ବାଉଣ୍ଡରୀ ପହଂଚାଇବାକୁ ବେସି ସମୟ ନିଅନ୍ତି ନାହିଁ । ଏସବୁ ଦୃଷ୍ଟିରୁ ରିଙ୍କୁ ସିଂଙ୍କୁ ବିଶ୍ୱକପ ଭଳି ୧୫ ଜଣିଆ ଦଳରେ ସ୍ଥାନ ଦେବା କଥା ବୋଲି କୁହାଯାଉଛି । କିନ୍ତୁ ଭାରତ ଅଧିକ ଅଲରାଉଣ୍ଡର ରଖିବା ଦିଗରେ ଆଗେଇ ଆସୁଥିବାରୁ ଶେଷ ସ୍ଥାନ ପାଇଁ ରିଙ୍କୁ ସିଂହ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ଜଣାପଡିଛି । ଶେଷରେ ଅକ୍ଷରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଫର୍ମ ଯୋଗୁଁ ତାଙ୍କୁ ଦଳରେ ରଖାଯାଇଛି ବୋଲି କୁହାଯାଉଛି ।

ଭଲ ପ୍ରଦର୍ଶନ କରି ଯେତେବେଳେ ରିଙ୍କୁ ସିଂହ ଦଳର ୧୫ ଜଣିଆ ଖେଳାଳି ତାଲିକାରେ ସ୍ଥାନ ପାଉ ନାହାନ୍ତି ଏପରି ସ୍ଥିତିରେ ଚହଲଙ୍କ ଏଂଟ୍ରି ସମସ୍ତଙ୍କୁ ଚକମା ଦେଇଛି । ପିଚରେ ବୋଲରଙ୍କ ଗୁଗୁଲି ଯେପରି ବ୍ୟାଟରଙ୍କୁ ଚକମା ଦିଏ । ଠିକ୍ ସେହିପରି ଟିମ୍ ଇଣ୍ଡିଆ ଚୟନକର୍ତା ଦଳରେ ଚହଲଙ୍କୁ ସାମିଲ କରାଇ କ୍ରିକେଟ ପ୍ରେମୀଙ୍କୁ ଚକମା ଦେଇଛନ୍ତି । ୫ ମାସ ତଳେ ଅନ୍ତର୍ଜାତୀୟ ଟି-୨୦ ବୋଲିଂ ତାଲିକାରେ ଏକ ନମ୍ବର ଥିଲେ ବିଷ୍ନୋଇ । ଏବେ ଷଷ୍ଠ ସ୍ଥାନରେ । କିନ୍ତୁ ଏହି ଅନ୍ତର୍ଜାତୀୟ ବୋଲିଂ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ନଥାଇ ବି ଚହଲଙ୍କୁ ଚୟନ କରିବା ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଚହଲ ଆଇପିଏଲରେ ଅଧିକ ୱିକେଟ୍ ନେଉଥିବାରୁ ଫର୍ମକୁ ଦୃଷ୍ଟିରେ ରଖି ଚୟନକର୍ତା ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି । ଗତ ଟି-୨୦ ବିଶ୍ୱକପରେ ସମସ୍ତ ଦଳ ଲେଗ୍ ସ୍ପିନରଙ୍କୁ ଖେଳାଉଥିବା ବେଳେ ଚହଲ ପଡିଆ ବାହାରେ ଥିବା ବେଂଚରେ ବସି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ । ଆମେରିକା ଏବଂ କ୍ୟାରିବିଆନରେ ଚହଲଙ୍କ ପ୍ରଦର୍ଶନ କଣ ରହିବ ଆକଳନ କରାଯାଉଥିବା ବେଳେ ବିଦେଶୀ ମାଟିରେ କୁଲଦୀପ ଯାଦବଙ୍କଠୁ ଦଳ ଭଲ ପ୍ରଦର୍ଶନ ଆଶା ରଖିଛି । ଆଉ ବ୍ୟାଟିଂକୁ ଦୃଷ୍ଟିରେ ରଖି ଜାଡେଜା ଓ ଅକ୍ଷରଙ୍କ ମଧ୍ୟରୁ ଜଣେ ୧୧ ଜଣିଆ ଖେଳାଳି ତାଲିକାରେ ସ୍ଥାନ ପାଇବେ । ଉଭୟ ପନ୍ତ ଓ ସାମସନ୍ ୱିକେଟ୍ କିପର ଭାବେ ସ୍ଥାନ ପାଇଛନ୍ତି । ବଡ଼ କଥା ହେଉଛି ଏହି ଦୁଇ ଜଣ ୱିକେଟ୍ କିପର ବର୍ତମାନ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି । ସେଥିପାଇଁ ବୋର୍ଡ ଅତିରିକ୍ତ ୱିକେଟ କିପର ଭାବେ ରାହୁଲ ନ ନେବାକୁ ନିଷ୍ପତି ନେଇଛି ।

ସେହିପରି ଶୁଭମନ୍ ଗିଲଙ୍କୁ ମଧ୍ୟ ସ୍ଥାନ ମିଳିନି । ଆଇପିଏଲରେ ଗିଲଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ । ତାଛଡା ଜାତୀୟ ଟି-୨୦ ଦଳରେ ମଧ୍ୟ ଗିଲ୍ ଗତ କିଛି ବର୍ଷ ଧରି ନିୟମିତ ଖେଳୁ ନାହାନ୍ତି    । ସେଥିପାଇଁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ଦିଆଯାଇନାହିଁ । କିନ୍ତୁ ଶୁଭମନ୍ ଗିଲ ରିଙ୍କୁ ସିଂହଙ୍କ ଭଳି ଷ୍ଟାଣ୍ଡବାଇ ଖେଳାଳି ଭାବେ ରହିଛନ୍ତି । ଅନ୍ୟତମ ଖେଳାଳି ହେଲେ ଇଶାନ କିଶନ । ସେ ବି ବିଶ୍ୱକପ୍ ପାଇଁ ଦାବିଦାର ଥିଲେ । କିନ୍ତୁ ତାଙ୍କୁ ମଧ୍ୟ ସୁଯୋଗ ମିଳିଲାନି । କୁହାଯାଉଛି ବିସିସିଆଇ ଏବେବି ଇଶାନଙ୍କ ଉପରେ ଖପ୍ପା ଅଛି । କାରଣ ଇଶାନ୍ ଘରୋଇ କ୍ରିକେଟ ଖେଳିବାକୁ ମନା କରିଦେଇଥିଲେ । ହୁଏତ ସେହି କାରଣରୁ ତାଙ୍କୁ ସ୍ଥାନ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି, ଏହି ଷ୍ଟାର ଖେଳାଳିଙ୍କ ବିନା ରୋହିତ ସେନା ବିଶ୍ୱକପ୍ ଜିତି ପାରିବ ତ?