କିଏ ଏବେ ରାଜ୍ୟପାଳ, ତ ଆଉ କିଏ ରାଜ୍ୟସଭା ସଦସ୍ୟ….କେଉଁଠି ଅଛନ୍ତି ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣ୍ ଜଜ୍ । ପଢନ୍ତୁ, ଏହି ଷ୍ଟୋରୀ…

1,544

କନକ ବ୍ୟୁରୋ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଅବଦୁଲ ନଜୀରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହେଲେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ ଦେବା ପରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାମାନେ ଏହି କଥାକୁ ନେଇ ମୋଦୀ ସରକାରକୁ ନିଶାନା କରିଛନ୍ତି । କେବଳ ସେତିକି ନୁହେଁ, ବିରୋଧୀ ଦଳମାନେ ଏ ବିଷୟରେ ଆଲୋଚନା କରିବା ସହିତ ଏହାକୁ ‘ନ୍ୟାୟପାଳିକା ପାଇଁ ବିପଦ’ ବୋଲି ବି କହିଛନ୍ତି ।

ତେବେ ଜାଣିରଖିବା ଉଚିତ୍ ଯେ, ଜଷ୍ଟିସ୍ ନଜୀର ସୁପ୍ରିମକୋର୍ଟର ଜଜ୍ ଥିବାବେଳେ, ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଥିଲେ । ବିଶେଷକରି ବହୁବର୍ଷ ଧରି ଚର୍ଚ୍ଚା ଆଉ ବିବାଦରେ ରହୁଥିବାବେଳେ ଅଯୋଧ୍ୟା ରାମ ମନ୍ଦିର ଓ ବାବ୍ରି ମସଜିଦ୍ ବିବାଦର ମଧ୍ୟ ରାୟ ଶୁଣାଇଥିଲେ ଏହି ଜଜ୍ । ଏହି ମାମଲାର ଶୁଣାଣି ସେତେବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ସହିତ ୫ ଜଣିଆ ଖଣ୍ଡପୀଠ କରିଥିଲା । ତେବେ ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହିତ ଜଷ୍ଟିସ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ନଜୀର ମଧ୍ୟ ସାମିଲ ଥିଲେ । ତେବେ ଏବେ ଆସନ୍ତୁ ଜାଣିବା ଏହି ଜଜ୍ ମାନେ ଏବେ କେଉଁଠି ଏବଂ କେଉଁ ଦାୟିତ୍ୱରେ ଅଛନ୍ତି ।ଜଷ୍ଟିସ୍ ରଞ୍ଜନ ଗୋଗୋଇ

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ୨୦୧୯ ମସିହା ନଭେମ୍ବର ମାସ ୧୭ ତାରିଖରେ ସୁପ୍ରିମକୋର୍ଟରୁ ରିର୍ଟାୟର ହୋଇଥିଲେ । ତେବେ ଅବସର ନେବାର ମାତ୍ର ୪ ମାସ ପରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ତେବେ ଜଜ୍ ପରେ ରାଜ୍ୟସଭାକୁ ପହଞ୍ଚିଥିବା ସେ ଥିଲେ ତୃତୀୟ ବ୍ୟକ୍ତିତ୍ୱ । ତାଙ୍କ ପୂର୍ବରୁ ୨୧ ତମ ଚିଫ୍ ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କୁ (୧୯୯୦ରୁ ୧୯୯୧) କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା । ସେ ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ରହିଥିଲେ । ତାଙ୍କ ପୂର୍ବରୁ ଜଷ୍ଟିସ ବହରୁଲ୍ ଇସଲାମଙ୍କୁ ମଧ୍ୟ କଂଗ୍ରେସ ୧୯୮୩ ମସିହାରେ ରିଟାର୍ୟଡମେଣ୍ଟ ପରେ ୫ ମାସ ପାଇଁ ରାଜ୍ୟସଭାକୁ ପଠାଇଥିଲା ।ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଏପ୍ରିଲ ମାସ ୨୩ ତାରିଖ, ୨୦୨୧ରେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ । ରଞ୍ଜନ ଗୋଗୋଇଙ୍କ ପରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । ତେବେ ବୋବଡେ ୮ ବର୍ଷ ଧରି ସୁପ୍ରିମକୋର୍ଟର ଜଜ୍ ରହିଥିଲେ । ତେବେ ସୁପ୍ରିମକୋର୍ଟରୁ ଅବସର ନେବା ପରେ ସେ କୌଣସି ପ୍ରକାର ସାର୍ବଜନୀନ ପଦ ଗ୍ରହଣ କରିନାହାଁନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟିର କୁଳପତି ରହିଛନ୍ତି ।ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ୫ ଜଣିଆ ଖଣ୍ଡପୀଠ ଭିତରୁ ଆଉ ଜଣେ ଜଜ୍ ହେଉଛନ୍ତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ । ତେବେ ଜଷ୍ଟିସ୍ ଚନ୍ଦ୍ରଚୂଡ୍ ବର୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ସେ ହେଉଛନ୍ତି ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟ ବିଚାରପତି । ତେବେ ଡି ୱାଇ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ଲମ୍ବା ସମୟ ଧରି ଚିଫ୍ ଜଷ୍ଟିସ୍ ଥିବା ଜଷ୍ଟିସ୍ ବି ଚନ୍ଦ୍ରଚୂଡଙ୍କ ପୁଅ ।

ଜଷ୍ଟିସ୍ ଅଶୋକ ଭୂଷଣ

ଜଷ୍ଟିସ୍ ଅଶୋକ ଭୂଷଣ ୨୦୨୧ ମସିହା ଜୁଲାଇ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ନେବାର ୪ ମାସ ପରେ ତାଙ୍କୁ ନ୍ୟାସନାଲ କମ୍ପାନୀ ଲ’ ଅପଲେଟ୍ ଟ୍ରିବୁନାଲର ଚେୟାରମ୍ୟାନ୍ କରାଯାଇଥିଲା । ତାଙ୍କର କାର୍ଯ୍ୟକାଳ ୪ ବର୍ଷ ଧରି ରହିଛି । ତେବେ ଏହା ପୂର୍ବରୁ ଦୀର୍ଘ ୨୦ ମାସ ଧରି ଏହି ପଦ ଖାଲି ପଡିଥିଲା ।

ଜଷ୍ଟିସ୍ ଅବଦୁଲ ନଜୀର

ଜଷ୍ଟିସ୍ ଅବଦୁଲ ନଜୀର ସୁପ୍ରିମକୋର୍ଟରୁ ୨୦୨୩ ମସିହା ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିଲେ । ଏହାପରେ ମାତ୍ର ମାସକ ଭିତରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ତେବେ ଅଯୋଧ୍ୟା ମାମଲାର ଫଇସଲା ଶୁଣାଇଥିବା ୫ ଜଣ ଜଜଙ୍କ ଭିତରେ ନଜୀର ହିଁ ଥିଲେ ଏକମାତ୍ର ମୁସଲିମ୍ । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣକୁ ନେଇ ମଧ୍ୟ ହୋଇଥିବା ମାମଲାର ଶୁଣାଣି କରିଥିଲେ ଅବଦୁଲ୍ ନଜୀର ।