୮ରୁ ଲଘୁଚାପ, ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା: ୧୦ରୁ ରାଜ୍ୟରେ ଆରମ୍ଭ ହୋଇଯିବ ମୌସୁମୀ ବର୍ଷା

7,787

କନକ ବ୍ୟୁରୋ: ବାତ୍ୟା ‘ନିସର୍ଗ’ ପାଇଁ ଓଡ଼ିଶାକୁ ମୌସୁମୀ ପ୍ରବେଶରେ ବିଳମ୍ବ ନେଇ ପ୍ରକାଶ ପାଇଥିବା ଆଶଙ୍କା ଏବେ ଟଳି ଯାଇଛି। ରାଜ୍ୟରେ ଠିକ୍ ସମୟରେ ଅର୍ଥାତ୍ ଜୁନ୍ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ସାରା ଓଡ଼ିଶାରେ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ତାହା ରାଜ୍ୟକୁ ମୌସୁମୀ ଆଗମନରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନାନୁଯାୟୀ, ଏହି ଲଘୁଚାପ ବାତ୍ୟାର ରୂପ ନେବ ନାହିଁ। ବିଶେଷକରି ମୌସୁମୀ ବର୍ଷା ସମୟରେ ସୃଷ୍ଟି ହୋଉଥିବା ଲଘୁଚାପ ବାତ୍ୟାରେ ପରିଣତ ହୁଏ ନାହିଁ। ମୌସୁମୀ ସମୟରେ ସିୟର୍ର ପ୍ରଭାବ ଅଧିକ ରହୁଥିବାରୁ ତାହା ଲଘୁଚାପକୁ ଦୁର୍ବଳ କରିଦିଏ। ଲଘୁଚାପ ସେତେବେଳେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନିଏ, ଯେତେବେଳେ ମୌସୁମୀ ଶେଷ ପର୍ଯ୍ୟାୟରେ ଥାଏ। ଅନ୍ୟପଟେ ମୌସୁମୀ ଆରମ୍ଭରୁ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେଲେ ତାହା ବଳ ଗୋଟାଇ ବାତ୍ୟା କରାଇପାରେ, ଯେଉଁଭଳି ନିକଟ ଅତୀତରେ ବାତ୍ୟା ‘ନିସର୍ଗ’ ହୋଇଥିଲା। କିନ୍ତୁ ବଙ୍ଗୋପସାଗରରେ ଏମିତି କେବେ ହୁଏ ନାହିଁ। ତେବେ ଓଡ଼ିଶାରେ କେମିତି ବର୍ଷା ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ଏହାର କ୍ଷେତ୍ର ଓ ଗତି ଉପରେ ନିର୍ଭର କରିବ। ବର୍ତ୍ତମାନ ଆକଳନରୁ ଜଣାପଡ଼ୁଛି, ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ଓ ପ୍ରବଳ ବର୍ଷା ହେବ। ତେବେ ଆଜି ଏହା ଅଧିକ ସ୍ପଷ୍ଟ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଆସନ୍ତା ୮ ତାରିଖରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଅର୍ଥାତ୍ ଉତ୍ତର ଆଣ୍ଡାମାନ ସାଗରରେ ମିଆଁମାର ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା କ୍ରମଶଃ ଘନୀଭୂତ ହୋଇ ଆନ୍ଧ୍ରପ୍ରେଦେଶ ଓ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ୧୦ ତାରିଖରେ ଲଘୁଚାପ କ୍ଷେତ୍ର ଓ ୧୧ ତାରିଖରେ ୱେଲମାର୍କଡ୍ ଲଘୁଚାପ ହେବାର ସମ୍ଭାବନା ଅଛି। ଫଳରେ ୧୧ତାରିଖ ଦିନ ଦକ୍ଷିଣ ଉପକୂଳ ଓ ୧୨/୧୩ ତାରିଖରେ ସାରା ରାଜ୍ୟରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ଅଛି। ତେବେ ବିସ୍ତୀର୍ଣ୍ଣ ଅଞ୍ଚଳରେ ୨ରୁ ୩ଦିନ ବର୍ଷା ସମ୍ଭାବନା ଥିବାରୁ ଏହି ଲଘୁଚାପଜନିତ ବର୍ଷାକୁ ମୌସୁମୀ ବର୍ଷା କୁହାଯାଇପାରିବ।