ଖରା ବଢୁଛି, ପିଇବା ପାଇଁ ମିଳୁନି ପାଣି  । କଟକ ଗୋପୀନାଥପୁର ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା, ପାଖ ଗାଁ ସାଜିଛି ସାହାଭରସା ।

143

କନକ ବ୍ୟୁରୋ : ଖରାର ପ୍ରକୋପ ଯେତିକି ବଢ଼ୁଛି ପାନୀୟ ଜଳର ସମସ୍ୟା ତାଠାରୁ ଅଧିକ ହେଉଛି । ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନି । ପିଇବା ପାଣି ପାଇଁ ମହିଳାମାନେ ଅନ୍ୟ ଗାଁର କୂଅକୁ ଯାଇ ପାଣି ଆଣୁଛନ୍ତି । ସମସ୍ୟା ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତିି ଲୋକେ ।

ଗ୍ରୀଷ୍ମରେ ଖରା ବଢ଼ିବା ସାଙ୍ଗକୁ ଉତ୍କଟ ହେଉଛି ଜଳ ସମସ୍ୟା । ଟୋପାଏ ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କଟକ ଜିଲ୍ଲା ତିଗିରିଆ ବ୍ଲକ ନିଜିଗଡ଼ ପଂଚାୟତର ଅନେକ ଗାଁ । ଲୋକଙ୍କୁ ପିଇବା ପାଣି ମିଳୁନଥିବା ବେଳେ ଗରା, ବାଲଟି ଧରି ଅନ୍ୟ ଗାଁକୁ ଯାଉଛନ୍ତି ଗୋପିନାଥପୁର ଶାସନ ଗାଁର ଲୋକେ । ଏହି ଗାଁରେ ୪୦ରୁ ଅଧିକ ପରିବାର ଥିବା ବେଳେ ଖରାଦିନ ଆସିଲେ ଲୋକଙ୍କ ଜଳ କଷ୍ଟ ଆରମ୍ଭ ହୋଇଯାଏ । କେଉଁଠି ଅଚଳ ଅବସ୍ଥାରେ ନଳକୂପ ପଡ଼ିଥିବା ବେଳେ ଅନ୍ୟ କେଉଁଠି ଶୁଖିଲା ପଡ଼ିଛି କୂଅ, ପୋଖରୀ ।

ଏହି ପଞ୍ଚାୟତର ଗୋପୀନାଥପୁର ଶାସନ, କରଡ଼ପଲି ଓ ନିଜିଗଡର ୮ ହଜାରରୁ ଅଧିକ ଲୋକମାନଙ୍କ ପାଇଁ ୨୦୦୭ ମସିହାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ୯୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏହା ଆରମ୍ଭ କରାଯାଇଥିଲା । କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ।  ଗାଁ ଲୋକ ଅଭିଯୋଗ କରିଛନ୍ତି ବିଭାଗୀୟ କର୍ତୃପକ୍ଷ କେହି ଏହି ଘଟଣାକୁ ଶୁଣୁ ନାହାନ୍ତି । ଏହି ପ୍ରକଳ୍ପରୁ ଜଳ ସଂଗ୍ରହ ନିମନ୍ତେ ୪ଟି ଭୂତଳ ଉତ୍ସକୂପ ଖୋଳାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ଖୁବଶୀଘ୍ର ବିଭାଗୀୟ କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ନେଇ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଅଧାରେ ପଡ଼ିଥିବା ପ୍ରକଳ୍ପର ୪ଟି ଯାକ କୂପକୁ କାର୍ଯ୍ୟକ୍ଷମ କରି ଲୋକମାନଙ୍କୁ ପିଇବା ପାଣି ଯୋଗାଇବାକୁ ସାଧାରଣରେ ଦାବି କରିଛନ୍ତି ଗୋପୀନାଥପୁର ଶାସନ ଗାଁର ଲୋକେ ।