ଋଷ ପାଇଁ ଘନେଇଲା ବିପଦ, ଖୁବଶୀଘ୍ର ଜେଲେନସ୍କିଙ୍କୁ ଭେଟିବେ ଆମେରିକାର ଦୁଇ ବରିଷ୍ଠ ମନ୍ତ୍ରୀ

274

କନକ ବ୍ୟୁରୋ : ଋଷ –ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଗୋଟିଏ ପଟେ ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିଚାଲିଥିବା ବେଳେ ଦିନକୁ ଦିନ ୟୁକ୍ରେନ ସେନା ଅସହାୟ ହୋଇପଡୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ନ୍ୟୁଜ ଏଜେନ୍ସି ଏପି ମୁତାବକ ଏବେ ଋଷ ସେନା ୟୁକ୍ରେନର ମାରିୟୋପୋଲରେ ଥିବା ଏକ ବୃହତ ଇସ୍ପାତ କାରଖାନାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏହି କାରଖାନା ଭିତରେ ୟୁକ୍ରେନର କିଛି ନାଗରିକ ଜୀବନ ବଞ୍ଚାଇବାକୁ ଲୁଚି ରହିଥିବା ସୂଚନା ରହିଛି । ଏସବୁ ଭିତରେ ଆମେରିକାର ଦୁଇଜଣ ବରିଷ୍ଠ ମନ୍ତ୍ରୀ ଖୁବଶୀଘ୍ର ୟୁକ୍ରେନର ରାଷ୍ଟ୍ରପତି ବୋଲଦିମିର ଜେଲେନସ୍କିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।

ଏନେଇ ଜେଲେନସ୍କି କହିଛନ୍ତି କି, ରବିବାର ଦିନ ରାଜଧାନୀ କ୍ୱିବ ଠାରେ ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଓ ରକ୍ଷାମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହ ଭେଟ କରିବେ । ଏହି କ୍ରମରେ ଜେଲେନସ୍କି ଆମେରିକା ଠାରୁ କିଛି ଅତ୍ୟାବଶକୀୟ ସାମଗ୍ରୀ ସହ ଯୁଦ୍ଧାସ୍ତ୍ର ଆଶା କରୁଥିବା କହିଛନ୍ତି । ଏହାସହ ଗଣମାଧ୍ୟମ ସହ ଆଲୋଚନା ବେଳେ ଜେଲେନସ୍କି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି କି ମୃତ୍ୟୁ ଉପରେ ଜୀବନର ବିଜୟ ହେବ ଓ ମିଛକୁ ହରାଇ ସୈତାନଙ୍କୁ ଦଣ୍ଡିତ କରାଯିବ ।

ସେପଟେ ଯୁଦ୍ଧ ଭିତରେ ଆମେରିକାର ଦୁଇ ବରିଷ୍ଠମନ୍ତ୍ରୀ ୟୁକ୍ରେନ ଯିବାକୁ ନେଇ ରାଜନୈତିକ ମହଲରେ ଚହଳ ପଡିଛି । କୁହାଯାଉଛି କି ଆମେରିକା ୟୁକ୍ରେନ ସମର୍ଥନର ଏକ ନିଦର୍ଶନ ଦେବାକୁ ମନ୍ତ୍ରୀଙ୍କୁ କ୍ୱିବ ପଠାଉଛି ।