ଖରା ଆରମ୍ଭରୁ ବଢୁଛି ତରଭୁଜର ଚାହିଦା: ରାଜ୍ୟ ରାଜପଥରୁ ଜାତୀୟ ରାଜପଥ ଯାଏଁ ଖୋଲୁଛି ତରଭୁଜର ପସରା

86

କନକ ବ୍ୟୁରୋ: ଡହ ଡହ ଖରାରେ ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଖରା ଦିନ ଆରମ୍ଭରୁ ବଜାରରେ ତରଭୁଜ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି । ତେବେ ମାଲକାନଗିରି ଜିଲ୍ଲା ତରଭୁଜର ଓଡିଶା ତଥା ଓଡିଶା ବହାରେ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ତରଭୁଜ ଉତ୍ପାଦନ କରି ମାଲକାନଗିରି ଜିଲ୍ଲାର ଚାଷୀକୁଳ ବେଶ ଦୁଇ ପଇସା ରୋଜଗାର କରୁ ଥିବା ସହ ରାଜ୍ୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରି ପାରିଛନ୍ତି ।

ରାଜ୍ୟରେ ଏବେ ପାରଦ ଆସ୍ତେ ଆସ୍ତେ ବଢି ଚାଲିଥିବା ବେଳେ ସହର ତଥା ଗ୍ରାମାଂଚଳରେ ତରଭୁଜର ଚାହିଦା ମଧ୍ୟ ସେଇ ଆନୁପାତରେ ବଢିବାରେ ଲାଗିଛି । ମାଲକାନଗିରି ଜିଲ୍ଲାର ଗାମ୍ଫାକୋଣ୍ଡା ଓ ଏମଭି ୧୧ ଅଂଚଳରେ ପ୍ରଚୁର ପରିମାଣରେ ତରଭୁଜ ଚାଷ ହୋଉଥିବା ବେଳେ ଏଠାକାର ତରଭୁଜର ବେଶ ଚାହିଦା ରହିଛି । କାରଣ ସମ୍ପୁର୍ଣ ଜୈବିକ ପଦ୍ଧତିରେ ତରଭୁଜ ଚାଷ ହୋଉଥିବାରୁ ମାଲକାନଗିରି ଓ ଓଡିଶା ବଜାର ସମେତ ପଡୋଶୀ ରାଜ୍ୟକୁ ରପ୍ତାନୀ ହୁଏ ଏଠାକାର ସୁଆଦିଆ ତରଭୁଜ । ଜିଲ୍ଲାର କାଲିମେଳା ଠାରୁ ଆରମ୍ଭ କରି ବାଲିମେଳା ଯାଏଁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ମେଳି ହୋଇଛି ତରଭୁଜର ପସରା । ଆଉ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷାପାଇବା ପାଇଁ ରାସ୍ତାକଡରେ ଅଟକି ତରଭୁଜର ମଜା ନିଅନ୍ତି ବାଟୋଇ । ତେବେ ଚଳିତ ବର୍ଷ ତରଭୁଜ ଦର କିଛିଟା ଅଧିକ ରହିଛି, କିନ୍ତୁ ଚାହିଦା ସେତେଟା କମି ନାହିଁ ।

ମାଲକାନଗିରି ଏମଭି ୧୧ ଗାଁର ତରୁଭୁଜ ଚାଷୀ କୃଷ୍ଣ ସରକାର । ଚଳିତ ବର୍ଷ ୪ ଏକର ଚାଷ ଜମି ରେ ତରଭୁଜ ଚାଷ କରିଛନ୍ତି । ଏଥି ପାଇଁ କୃଷ୍ଣ ଏକର ପିଛା ୩୦ ରୁ ୩୫ ହଜାର ଖର୍ଚ କରି ଥିବା ବେଳେ ଏବେ କିଲୋ ପିଛା ୮ ଟଙ୍କା ଦର ରେ ବ୍ୟବସାୟୀଙ୍କୁ ତରଭୁଜ ବିକ୍ରୀ କରୁଛନ୍ତି କୃଷ୍ଣ । ଆଉ ଏହି ଦର ଜାରି ରହିଲେ ୮୦ ରୁ ଏକ ଲକ୍ଷ ଟଙ୍କା ରୋଜଗାରର ଲକ୍ଷ୍ୟ ରଖିଛନ୍ତି କୃଷ୍ଣ ।

ବିଶେଷକରି ଛତିଶଗଡ, ଆନ୍ଧ୍ର ଓ ତେଲେଙ୍ଗାନାର ଚାଷୀ ମାନେ ମାଲାକନଗିରିରୁ ତରଭୁଜ କିଣି ନେଉଥିବାରୁ ସ୍ଥାନୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ ୧୦ ରୁ ୪୦ ଟଙ୍କା ଦରରେ ବିକ୍ରୀ ହୋଉ ଥିବା ଗୋଟା ତରଭୁଜ ଏବେ ୪୦ ରୁ ୮୦ ଟଙ୍କା ଦରରେ ବିକ୍ରୀ ହୋଉଛି । ତେବେ ସ୍ଥାନୀୟ ବ୍ୟବସାୟ କିନ୍ତୁ କମି ନାହିଁ । ମାଲକାନଗିରି ଜିଲ୍ଲାରେ କେବଳ କାଁ ଭାଁ ସ୍ଥାନରେ ବିପୁଳ ପରିମାଣ ରେ ତରଭୁଜ ଚାଷ ହୁଏ । ତେବେ କୃଷୀ ଓ ଉଦ୍ୟାନ ସମେତ ଜଳସେଚନ ବିଭାଗଙ୍କ ପ୍ରୋତ୍ସାହନ ମିଳିଲେ ଜିଲ୍ଲାରେ ଚାହିଦା ମୁତାବକ ତରଭୁଜ ଉତ୍ପାଦନ ହୋଇ ପାରନ୍ତା ।